ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ

ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବାଲେଶ୍ୱର ବ୍ୟାଡ୍‌ମିଣ୍ଟନ କ୍ଲବର ଖେଳାଳିମାନଙ୍କୁ କ୍ଲବର ବରିଷ୍ଠ ସଦସ୍ୟ ବିନୟ ଶାହା, ସିଦ୍ଧାର୍ଥ ଦାସ, ଅଜୟ ଦୋଷି, ବିଶ୍ୱଜିତ ଦାସ, ସପନ ବିଶ୍ୱାଳ ପ୍ରମୁଖ ସମ୍ମାନିତ କରିଛନ୍ତି। ବାଲେଶ୍ୱର ବ୍ୟାଡ୍‌ମିଣ୍ଟନର ପ୍ରମୁଖ ଯୋଡ଼ି ଜୟପ୍ରକାଶ ଓ ରାହୁଲ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲାରେ ଆୟୋଜିତ ୨୫ରୁ ଅଧିକ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରବୀନ୍ଦ୍ର ପାଣିଗ୍ରାହୀ, ପୀୟୁଷ ରାଉତ, ଗୌରୀଶଙ୍କର ରଥ, ଶୁଭ୍ରାଂଶୁ ଚୌଧୁରୀ, ସନ୍ତୋଷ ସାହୁ, ସାଇ ସତ୍ୟଶ୍ରୀ ନାୟକ ପ୍ରମୁଖ ୩୦ରୁ ଅଧିକ ବିଜେତା ଓ ଉପବିଜେତା ହୋଇଥିଲେ। ଖେଳାଳିଙ୍କ ଏହି କୃତିତ୍ୱ ପାଇଁ ବାଲେଶ୍ୱରର ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରଶଙ୍କର ବିଶିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବ୍ୟାଡ଼ମିଣ୍ଟନ ଖେଳରେ ଆଗ୍ରହ ରଖୁଥିବା ଖେଳାଳିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ବାଲେଶ୍ୱର ବ୍ୟାଡ଼ମିଣ୍ଟନ କ୍ଲବର ସଭାପତି ସିଦ୍ଧାର୍ଥ ଦାସ ପ୍ରତିଶ୍ରୁତି ଦେଇଛନ୍ତି।