Categories: ଖେଳ

ସଫଳ ଭାରତୀୟ ବୋଲରଙ୍କ ତାଲିକାରେ ଈଶାନ୍ତ

ଓ୍ବେଲିଂଟନ,୨୩।୨- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିମାନେ ସଂଘର୍ଷ କରୁଥିବାବେଳେ ଈଶାନ୍ତ ଶର୍ମା ଫୁଲ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟର ମାତ୍ର ୪ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଥିବା ଈଶାନ୍ତ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ପାଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ୫ ଉଇକେଟ ସଫଳତା। ନ୍ୟୁଜିଲାଣ୍ଡରେ ତୃତୀୟ ଓ ଭାରତ ବାହାରେ ୯ମ ଥର ପାଇଁ ସେ ୫ ଉଇକେଟ ପାଇଛନ୍ତି। ଏଥିସହ ଭାରତୀୟ ଟେଷ୍ଟ ବୋଲରଙ୍କ ମଧ୍ୟରେ ସର୍ବାଧିକ ଥର ୫ ଉଇକେଟ ସଫଳତା ପାଇଥିବା ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏବେ ତାଲିକାର ଯୁଗ୍ମ ୫ମ ସ୍ଥାନରେ ଅଛନ୍ତି। ତାଙ୍କ ସହ ରହିଛନ୍ତି ପୂର୍ବତନ ବାମହାତୀ ପେସର ଜାହିର ଖାଁ। ୩୧ ବର୍ଷୀୟ ଦିଲ୍ଲୀ ପେସର ଈଶାନ୍ତ ଆଉ ଏକ ମାଇଲଷ୍ଟୋନ ଅପେକ୍ଷାରେ ଅଛନ୍ତି। ୩୦୦ ଟେଷ୍ଟ ଉଇକେଟ ପୂରଣ କରିବା ଲାଗି ତାଙ୍କୁ ଆଉ ମାତ୍ର ୩ ଉଇକେଟ ଦରକାର।

Share