ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍‌ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼ ଜିଲା ଭିତିରିଆ ସାହିର ରାଜେଶ ଅଗ୍ରୱାଲ୍‌(୫୫)ଙ୍କଠାରେ ଏହି ପ୍ରତିରୋପଣ କରାଯାଇଛି। ହେମାଟୋଲୋଜି ବିଭାଗରେ ଅନୁଷ୍ଠିତ ଏହି ଅସ୍ତ୍ରୋପଚାର ଏସସିବି ପାଇଁ ଆଉ ଏକ ଇତିହାସ ରଚିଛି। ଅସ୍ତ୍ରୋପଚାର ପରେ ରାଜେଶଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମେଡ଼ିକାଲ୍‌ ସୂତ୍ରରୁ ସୂଚନା ମିଳିଛି ।
ଏସ୍‌ସିବିର ହେମାଟୋଲୋଜି ବିଭାଗରେ ୨୦୧୪ ଫେବୃୟାରୀ ୨୬ତାରିଖରେ ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ରକ୍ତ କର୍କଟ ରୋଗୀରେ ଆକ୍ରାନ୍ତଙ୍କ ଠାରେ ରକ୍ତ ସୃଷ୍ଟି କରୁଥିବା ଷ୍ଟେନ୍‌ ସେଲ୍‌ ପ୍ରତ୍ୟାରୋପଣ କରାଯାଇଥାଏ। ଘରୋଇ ହସ୍‌ପିଟାଲ୍‌ରେ ଏହି ପ୍ରତିରୋପଣ ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏସ୍‌ସିବିରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି। ୨୦୧୪ ଏପ୍ରିଲ୍‌ ୨୩ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଶକୁନ୍ତଳା ସାହୁ(୫୪)ଙ୍କ ପ୍ରଥମ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ଏହାର ପରଦିନ ଅର୍ଥାତ୍‌ ୨୪ତାରିଖରେ ଯାଜପୁର ଜିଲା ଡି. ଜେନା(୫୭)ଙ୍କ ପ୍ରତିରୋପଣ ହୋଇଥିଲା। ଗୋଟିଏ ପରେ ଗୋଟିଏ ସଫଳ ପ୍ରତିରୋପଣ ପରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା। ୨୦୧୪ରୁ ୨୦୧୭ ମସିହା ଭିତରେ ମୋଟ ୫୫ଟି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୭ତାରିଖ ପରଠୁ କେହି ବିଭାଗୀୟ ମୁଖ୍ୟ ନ ଥିବା ଯୋଗୁ ଏହା ସାମୟିକ ଭାବେ ବନ୍ଦ ରହିଥିଲା। ବିଭାଗୀୟ ମୁଖ୍ୟଙ୍କ ଯୋଗଦାନ ପରେ ୨୦୧୯ ଏପ୍ରିଲ୍‌ରେ ପୁଣି ଥରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ପରଠୁ ଏଯାଏ ୨୦ଟି ସଫଳ ପ୍ରତିରୋପଣ ହୋଇସାରିଲାଣି। ଗୁରୁବାରକୁ ମିଶାଇ ମୋଟ ୭୫ଟି ପ୍ରତିରୋପଣ ହୋଇଛି। ପୂର୍ବ ଭାରତର କୌଣସି ସରକାରୀ ହସ୍ପିଟାଲ୍‌ ଏଯାବତ୍‌ ୭୫ ଅସ୍ଥିମଜ୍ଜା ପ୍ରତିରୋପଣ କରିନାହିଁ। ବିଶେଷକରି ୬୫ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ କେବଳ ଆମେରିକାରେ ହୋଇଥାଏ। ମାତ୍ର ଏସିଆ ମହାଦେଶରେ ଏସ୍‌ସିବି ଏକମାତ୍ର ହସ୍ପିଟାଲ ଯେଉଁଠି ୬୫ରୁ ଊର୍ଦ୍ଧ୍ୱ ବୟସର ୫ଜଣଙ୍କ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଭୁବନେଶ୍ୱରର ଜାଫର ଖାନଙ୍କ ୭୪ବର୍ଷ ବୟସରେ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇ ପାରିଛି। ବର୍ତ୍ତମାନ ଏଠାରେ ଅଟୋଲୋଗସ କୌଶଳରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଛି। ଆଗାମୀ ଦିନରେ ଆଲୋଜେନିକ ଓ ହାପଲୋ ଭଳି ଅତ୍ୟାଧୁନିକ କୌଶଳରେ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା ପ୍ରକାଶ କରିଛନ୍ତି।

Share