ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ

ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସେବାରେ ଲାଗି ପଡିଥିବା ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟରତ ୧୦୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କୁ ଏଠାରେ ଥିବା ସୁରକ୍ଷା ମଞ୍ଚ ସଙ୍ଗଠନ ପକ୍ଷରୁ ଅଭିନବ ଢଙ୍ଗରେ ଉତ୍ସାହିତ କରାଯାଇଥିଲା। ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସୋମବାର ଭୋରରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ ସଫେଇ କର୍ମଚାରୀମାନଙ୍କ ପାଦରେ ପାଣି ଓ ମସ୍ତକରେ ଫୁଲ ପକାଇବା ସହ ଗାମୁଛା ପ୍ରଦାନ କରି ସମ୍ମାନିତ କରିଥିଲେ। ସେମାନଙ୍କୁ ଶୁଖିଲା ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ। ଏ ନେଇ ସଙ୍ଗଠନର ଆବାହକ ଶିବ ମହାନ୍ତି କୁହନ୍ତି, କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ କରିଛନ୍ତି। ଭୂତାଣୁ ସଂସ୍ପର୍ଶରେ କେହି ଯେପରି ନ ଆସିବେ ସେଥିପାଇଁ ସୁରକ୍ଷିତ ଭାବେ ଘରେ ରହିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ ପିଲାଛୁଆଙ୍କୁ ଘରେ ଛାଡ଼ି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଏହି ସଫେଇ କର୍ମଚାରୀମାନେ ଭୋରରୁ ଘରୁ ବାହାରି ପଡ଼ନ୍ତି। କାମସାରି ମଧ୍ୟାହ୍ନ ୧୨ଟା ବେଳକୁ ଘରକୁ ଫେରନ୍ତି। ଏଣୁ ସେମାନଙ୍କୁ ଉତ୍ସାହିତ କରିବାକୁ ସମ୍ମାନିତ କରାଯାଇଥିବା ସେ କହିଛନ୍ତି।

Share