ସଫେଇ କର୍ମଚାରୀଙ୍କୁ ବି ଛାଡ଼ିଲାନି ପୋଲିସ: ମାଡ଼ ପ୍ରତିବାଦରେ କାର୍ଯ୍ୟବନ୍ଦ, ମିଳିଲା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ଫୁଲବାଣୀ ଅଫିସ, ୧୮ା୪- ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପୋଲିସ ବିଭାଗର କେତେଜଣ ତଳିଆ କର୍ମଚାରୀ କିଛି ନ ବୁଝି ଲୋକଙ୍କୁ ମାଡ଼ ମାରୁଛନ୍ତି। ଶୁକ୍ରବାର ଫୁଲବାଣୀ ପୌର ପରିଷଦର ଜଣେ କର୍ମଚାରୀଙ୍କୁ ମାଡ଼ ମରାଯାଇଛି। ଏହା ପ୍ରତିବାଦରେ ପୌର ପରିଷଦର ସଫେଇ କର୍ମଚାରୀମାନେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି ଅଡ଼ି ବସିଥିଲେ। ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସମସ୍ୟା ସମାଧାନ ହୋଇଛି।
ଫୁଲବାଣୀ ହନୁମାନ ମନ୍ଦିର ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ସଫେଇ ସୁପରଭାଇଜର ଅନିରୁଦ୍ଧ ମୁଖୀ କାମ ତଦାରଖ କରୁଥିଲେ । ସେଠାରେ ଥିବା ୨ ଜଣ କନଷ୍ଟେବଳ ବାହାରେ ବୁଲୁଥିବାରୁ ଅନିରୁଦ୍ଧଙ୍କୁ ମାଡ଼ ମାରିଥିଲେ । ଅନିରୁଦ୍ଧ ତାଙ୍କ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ସେମାନେ ତାହାକୁ ଦେଖି ନ ଥିଲେ। ଏହାପରେ ଅନିରୁଦ୍ଧ ଆସି ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ା କଥା ପ୍ରଘଟ ହେବାରୁ ସମସ୍ତ ସଫେଇ କର୍ମଚାରୀ କାମ ବନ୍ଦ କରି ପୌର କାର୍ଯ୍ୟାଳୟକୁ ଆସି ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ା ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଏ ସମ୍ପର୍କରେ ଉପଜିଲାପାଳଙ୍କୁ ସୂଚନା ଦେଇଥିଲେ ା ଉପ ଜିଲାପାଳ ଏ ସମ୍ପର୍କରେ ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ଜଣାଇଥିଲେ। ଏସ୍‌ଡିପିଓ ମୁର୍ମୁ ପୌର କାର୍ଯ୍ୟାଳୟରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ା

Share