ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ ମିଳିବା, ସରକାରୀଙ୍କ ଧାର୍ଯ୍ୟ ମଜୁରୀଠାରୁ କମ୍ ଦରମା ମିଳିବା, ଠିକା ସଂସ୍ଥା ଇଫିଏଫ ବାବଦରେ ଟଙ୍କା କାଟୁଥିବା ବେଳେ ତାର ରସିଦ୍ କର୍ମଚାରୀମାନଙ୍କୁ ନ ମିଳିବା, ଠିକା ସଂସ୍ଥା ବିଭିନ୍ନ ସଫେଇ ପାଇଁ ବିଭିନ୍ନ ଉପକରଣ (କିଟସ୍) ପ୍ରଦାନ ନ କରିବା ଆଦି କାରଣକୁ ନେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିଥିବା ବେଳେ କେହି ତାଙ୍କ କଥା ଶୁଣି ନ ଥିଲେ। ଫଳରେ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ। ଏ ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।