Categories: ଗଞ୍ଜାମ

ସଫେଇ କାମକୁ ନେଇ ଗଣ୍ଡଗୋଳ ଘଟଣା ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର

ବ୍ରହ୍ମପୁର ଅଫିସ,୩ା୧୨-ବ୍ରହ୍ମପୁର ମହାନଗର ନିଗମ ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଂଗଠିତ ଗଣ୍ଡଗୋଳ ଘଟଣାରେ ବଡବଜାର ପୋଲିସ ୨ ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି) ନିକଟରେ ହାଜର କରିଛି। ଅନ୍ୟପଟେ ଏହି ଘଟଣା ପଛରେ ଜଣେ ଶାସକ ଦଳର ନେତାଙ୍କ ହାତ ଥିବା ଅଭିଯୋଗ ପରେ ଏବେ ଏହାର ଦିଗ ବଦଳିଛି। ବିଜେଡି ନେତାଙ୍କୁ ଥାନାରେ ହାଜର ପାଇଁ ଡକାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେ ଥାନାରେ ହାଜର ହେବା ପରେ ଘଟଣା ସମ୍ପର୍କରେ ଖୋଳତାଡ ହେବ ବୋଲି ଜଣାପଡିଛି। ଏହାକୁ ନେଇ ଶାସକ ଦଳରେ ଏବେ ଏକପ୍ରକାର ହଇଚଇ ଖେଳିଯାଇଛି। ଆହତ ଜମାଦାର ଏସ୍‌.ଜଗନ୍ନାଥ ରାଓଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ. ୨୧୨/୧୯ରେ ଧାନମେରା ସାହିର ସନ୍ତୋଷ ବେହେରା ଓ ପ୍ରେମନଗର ଅଞ୍ଚଳର ଟୁନା ନାୟକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେହିପରି ଆହତ ଜମାଦାର ରଞ୍ଜିତ ନାୟକଙ୍କ ଭାଇ ଅଜିତ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ନଂ.୨୧୩/୧୯ରେ ଆସିକା ରୋଡ ଦଳିତ ସାହିର କୃଷ୍ଣ ମୁଖୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଏହି ଘଟଣାରେ ସାମିଲ ଥିବା ୩ ନାବାଳକଙ୍କୁ ପୋଲିସ ଜେଜେବିକୁ ପଠାଇଥିବା କହିଛି। ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।