ସଫେଇ ବାହାନାରେ ଠକି ନେଲେ ସୁନା ଅଳଙ୍କାର

ବାରିପଦା ଅଫିସ,୧୬ା୧୨- ବାରିପଦା ସହରରେ ଚଳିତ ବର୍ଷ ଅପରାଧିକ କାର୍ଯ୍ୟକଳାପ ବିଗତ ବର୍ଷ ଅପେକ୍ଷା ବୃଦ୍ଧି ଘଟିଛି। ପୋଲିସ ଚାହିଁଲେ ସୁଦ୍ଧା ଅପରାଧକୁ କମାଇ ପାରୁ ନାହିଁ । ଚୋରି, ଡକାୟତି ଓ ଲୁଟ ନିତିଦିନିଆ ଘଟଣା ପାଲଟିଛି। ତେବେ ପୋଲିସ ଅପରାଧୀଙ୍କୁ ଧରିବାରେ ଫେଲ୍‌ ମାରୁଥିବାରୁ ଲୋକଙ୍କ ସମାଲୋଚନାର ଶିକାର ହେଉଛି । ରବିବାର ଦିନ ଦ୍ୱିପ୍ରହରରେ ବାରିପଦା ସୁନାମୁହିଁ ଅଞ୍ଚଳର ସଂଦୀପ୍ତ ମାଇତିଙ୍କ ଘରୁ ସଫେଇ କରିଦେବା କହି ସୁନା ଅଳଙ୍କାର ଧରି ଛୁ ମାରିଛନ୍ତି ୨ଜଣ ଯୁବକ । ସୁନା ମୁଦି ଓ ହାରକୁ ନେଇ ସେମାନେ ଫେରାର ହୋଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ୨ ଯୁବକ ଏକ ମୋଟରସାଇକଲରେ ଆସିଥିବା ଲୋକେ କହୁଛନ୍ତି । ପ୍ରଥମେ ଘରର ପିତ୍ତଳ ସାମଗ୍ରୀକୁ ସେମାନେ ସଫା କରି ଦେଖାଇ ଥିଲେ। ଏହା ଚକ ଚକ ହେବାପରେ ସୁନା ଅଳଙ୍କାର ସଫେଇ କରିଦେବେ ବୋଲି କହି ୨ ଯୁବକ ଠକି ଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଏହା ବାରିପଦାରେ ନୂଆ ଘଟଣା ନୁହେଁ। ବାହାର ଅଞ୍ଚଳର କିଛି ଯୁବକ ଏଠାକୁ ଆସି ନିୟମିତ ସହର ଓ ଗ୍ରାମାଞ୍ଚଳକୁ ଯାଇ ଠକେଇ କରୁଛନ୍ତି । ଏମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍କାଡ ଗଠନ କରିବାକୁ ଦାବି ହେଉଛି ।