Categories: ଖେଳ

ସବିତା ଖେଳିଲେ ୨୦୦ତମ ମ୍ୟାଚ୍‌

ମାର୍ଲୋ(ୟୁକେ),୪।୧୦(ପି.ଟି.)- ଇଂଲଣ୍ଡ ଗସ୍ତର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ମହିଳା ହକି ମ୍ୟାଚରେ ଭାରତୀୟ ଗୋଲକିପର ସବିତା କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ମ୍ୟାଚ ପୂର୍ବରୁ କୋଚ୍‌ ଜୋର୍ଡ ମାରିଜନେ ତାଙ୍କୁ ୨୦୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ସବିତା ୨୦ ବର୍ଷର ହୋଇଥିବାବେଳେ ୨୦୦୯ରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ସିନିୟର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଗତ କିଛିବର୍ଷ ଧରି ଟପ୍‌-କ୍ୱାଲିଟି ପ୍ରଦର୍ଶନ ଯୋଗୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟା ପାଲଟି ଯାଇଛନ୍ତି। ବର୍ତ୍ତମାନ ୨୯ ବର୍ଷରେ ପହଞ୍ଚତ୍ଥିବା ସବିତା ୨୦୧୩ରେ ମାଲେସିଆରେ ଅନୁଷ୍ଠିତ ମହିଳା ଏସିଆ କପ୍‌ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ୨୦୧୭ରେ କାନାଡାରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ରେ ଗୋଲକିପର ଅଫ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ୨୦୧୬ରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜେତା ଦଳର ସଦସ୍ୟା ମଧ୍ୟ ଥିଲେ। ଏହି ହରିୟାଣା ଯୁବତୀ ୨୦୧୭ ମହିଳା ଏସିଆ କପ୍‌ରେ ଭାରତକୁ ସ୍ବର୍ଣ୍ଣ ପଦକ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେଠାରେ ସେ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ। ୨୦୧୮ରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଏବଂ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଦଳର ସେ ସଦସ୍ୟା ଥିଲେ। ନିଜ ୧୦ ବର୍ଷର କ୍ୟାରିୟର ମଧ୍ୟରେ ସେ ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୨୦୧୮ ମହିଳା ବିଶ୍ୱକପରେ ଭାରତୀୟ ଦଳର ପ୍ରତନିଧିତ୍ୱ କରିଥିଲେ। ୨୦୧୮ରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share