Categories: ଫୁରସତ

ସବୁଜ ଡ୍ରେସ୍‌ ପିନ୍ଧିଥିଲେ ବୋଲି…

ବେଳେବେଳେ ଏମିତି ଘଟଣା ଘଟେ ଯାହା ଆମ କଳ୍ପନାର ପରିସରକୁ ମଧ୍ୟ ଛୁଇଁ ନ ଥାଏ। ସେମିତି ଗୋଟିଏ ଘଟଣା ଘଟିଛି ସାରା ଲ୍ୟୁକ୍‌ ନାମ୍ନୀ ଜନୈକା ତରୁଣୀଙ୍କ କ୍ଷେତ୍ରରେ। ଟେକ୍ସାସର ଏହି ତରୁଣୀ ଗାଲଭେନ୍‌ଷ୍ଟନ ଠାରେ ଥିବା ଏକ ଓ୍ବାଲମାର୍ଟ ମଲ୍‌କୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଲାରିନ୍‌ଜାଇଟିସ୍‌ ମେଡିକେଶନ୍‌ ଆଣିବା। ସାରା ତ ସେ କାମ ସାରିଲେ। ଫେରିବା ବେଳକୁ ତାଙ୍କର ନଜର ପଡ଼ିଲା ମଲ୍‌ ମଧ୍ୟରେ ଥିବା ଗାର୍ଡେନ୍‌ ସେଣ୍ଟର ଉପରେ। ଗାର୍ଡେନ୍‌ରେ ନାନା କିସମର ସବୁଜିମା ପରିପୂର୍ଣ୍ଣ ଗଛବୃଚ୍ଛ ରହିଥିଲା। ସାରାଙ୍କୁ ତାହା ଆକର୍ଷିତ କଲା। ଆଉ ସେ ଗାର୍ଡେନ ସେଣ୍ଟର ଭିତରେ ପଶି ତାହାକୁ ଉପଭୋଗ କରିବାକୁ ଲାଗିଲେ। ତେବେ ଏହା ଭିତରେ ଯେ, ଏକ ଘଟଣା ଘଟିସାରିଥିଲା ତାହା ତାଙ୍କୁ ଜଣା ନ ଥିଲା। ଅର୍ଥାତ୍‌ ସେ ଆସିବାକୁ ବାହାରିବା ବେଳକୁ ଜାଣିଲେ ଯେ, ସେଣ୍ଟରଟି ବନ୍ଦ ହୋଇସାରିଛି। ଆଉ ସେ ତାହା ଭିତରେ ବନ୍ଦୀ ହୋଇସାରିଛନ୍ତି। ଏହା ଜାଣି ତାଙ୍କର ବୁଦ୍ଧିବୃତ୍ତି ହଜିଗଲା। ତାଙ୍କର ଲାରିନ୍‌ଜାଇଟିସ୍‌ ସମସ୍ୟା ଥିବାରୁ ବଡ଼ପାଟିରେ ଡାକି ପାରୁ ନ ଥିଲେ। କବାଟ ବାଡ଼ଉଥିଲେ ବି କେହି ଶୁଣୁ ନ ଥିଲେ। ଶେଷକୁ ସେ ନିକଟସ୍ଥ ପୋଲିସ୍‌ ଷ୍ଟେଶନ୍‌କୁ ଫୋନ୍‌କଲେ। ପୋଲିସ୍‌ ଆସିବା ପରେ ଯାଇ ରୁଦ୍ଧ ଗାର୍ଡେନ୍‌ ସେଣ୍ଟରରୁ ମୁକ୍ତି ପାଇଲେ ସେ। ଜଣାଗଲା ଯେ, ସେଣ୍ଟର ବନ୍ଦ କରିବା ପୂର୍ବରୁ ଚେକ୍‌ କରାଯାଇଥିଲେ ମଧ୍ୟ ସାରା ଏକ ଡିପ୍‌ ଗ୍ରୀନ୍‌ ଡ୍ରେସ୍‌ ପିନ୍ଧିଥିବାରୁ ତାହା କେହି ଜାଣି ପାରି ନ ଥିଲେ।

Share