ସବୁଜ ଦୀପାବଳି: ଆଜିର ଆବଶ୍ୟକତା

ଡ. ଆଶୁତୋଷ ଦେବତା
ଦୀପାବଳି ହେଉଛି ଆନନ୍ଦ ଓ ଆଲୋକର ପର୍ବ। ସଂସ୍କୃତି ଓ ଆଧ୍ୟାତ୍ମିକତା ଉପରେ ଆଧାରିତ ଏହି ପର୍ବ ପାଳନ କରିବାରେ ଏକ ସ୍ବତନ୍ତ୍ରତା ରହିଛି। ସମ୍ପ୍ରତି ବିଶ୍ୱରେ ପରିବେଶ ପ୍ରଦୂଷଣ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ‘ସବୁଜ ଦୀପାବଳି’ ପାଳନ ଏକ ନିରାପଦ, ସୁସ୍ଥ ବିଶ୍ୱର ଆବଶ୍ୟକତା ତଥା ଉଚ୍ଚତର ଆଧ୍ୟାତ୍ମିକ ବିଚାରବୋଧର ପ୍ରତୀକ।
ବାସ୍ତବରେ ଆସୁରିକ ଶକ୍ତି ଉପରେ ଆଧ୍ୟାତ୍ମିକ ଶକ୍ତିର ବିଜୟ ଏବଂ ୧୪ ବର୍ଷ ବନବାସ ପରେ ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ସଂସ୍କୃତି ଓ ଆଧ୍ୟାତ୍ମିକ କଥନ ଏହି ଉତ୍ସବ ସହିତ ଯୋଡ଼ିହୋଇ ରହିଛି।
ଆଧୁନିକତାର ଦ୍ୱାହିଦେଇ ଦୀପାବଳି ପାଳନରେ ବିଷାକ୍ତ ଗ୍ୟାସ୍‌ ସୃଷ୍ଟିକାରୀ ଆତସବାଜି ବ୍ୟବହାରରୁ ବାୟୁ, ଜଳ, ସ୍ଥଳ ତଥା ଶବ୍ଦ ପ୍ରଦୂଷଣ ହେବା ସଙ୍ଗେ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ସାଧାରଣତଃ ବିସ୍ଫୋରକ ଶବ୍ଦ ସୃଷ୍ଟିକାରୀ ଫୋଟକା ଜାତୀୟ ଆତସବାଜିରେ ଦହନଶୀଳ କଳାରଙ୍ଗର ବାରୁଦ ବ୍ୟବହୃତ ହୁଏ, ଯେଉଁଥିରେ ଅଙ୍ଗାର, ସଲଫର୍‌ ଓ ପୋଟାସିୟମ୍‌ ନାଇଟ୍ରେଟ୍‌ ମିଶ୍ରିତ ହୋଇଥାଏ। ଏହି ପ୍ରକାର ବିସ୍ଫୋରକ ୧୪୦ ଡେସିବେଲରୁ ଅଧିକ ତୀବ୍ରତାବିଶିଷ୍ଟ ଶବ୍ଦ ସୃଷ୍ଟି କରିଥାଏ। ଅପରନ୍ତୁ ୬୫ ଡେସିବେଲ ମାତ୍ରାର ଶବ୍ଦ ମଣିଷ ଶରୀର ପାଇଁ ସହନୀୟ। ଗୋଟିଏ ଦିନ ଏହି ଉତ୍ସବ ପାଳନ ଅବକାଶରେ ଯେତିକି ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୁଏ, ୫୦୦୦ ଗଛ ତାହାର ଜୀବନକାଳ ମଧ୍ୟରେ ସେତିକି କାର୍ବନ ନିର୍ଗମନକୁ ଶୋଷଣ କରିବାରେ ସକ୍ଷମ ହୋଇ ନ ପାରେ। ସେହିପରି ଗୋଟିଏ ଦିନରେ ଷାଠିଏ ହଜାର ମେଟ୍ରିକ ଟନ୍‌ର ଜୈବବିଘଟନ ଅଯୋଗ୍ୟ ଅଳିଆ ରାସ୍ତା ଓ ପଡ଼ିଆରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଜଳ ଓ ସ୍ଥଳ ପ୍ରଦୂଷଣ ବେଶି ମାତ୍ରାରେ ସୃଷ୍ଟି କରୁଛି। ଦୁଇ ନିୟୁତ ବର୍ଷ ପୂର୍ବେ ଚାଇନାରେ ପ୍ରଥମେ ବାରୁଦର ଉଦ୍ଭାବନ ହୋଇଥିଲା। ଏକ ହଜାର ଖ୍ରୀଷ୍ଟାବ୍ଦରେ ଚାଇନାର ‘ଲି ଟାନ୍‌’ ନାମକ ଜଣେ ସାଧୁ ବାଉଁଶନଳୀ ଉପରେ ବାରୁଦ ରଖି ଆତସବାଜିର ବ୍ୟବହାର ଆରମ୍ଭ କରିଥିଲେ। ଊନବିଂଶ ଶତାବ୍ଦୀରେ ଐତିହାସିକ ପି.କେ. ଗୋଡେ ଭାରତରେ ବିସ୍ଫୋରକ ବ୍ୟବହାର ବିଷୟରେ ଜଣାଇଥିଲେ। ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ସମୟରେ ଓଡ଼ିଶାରେ ବିସ୍ତାରିତ ଭାବରେ ଆତସବାଜିର ବିକ୍ରୟ ପରିଦୃଷ୍ଟ ହୋଇଥିଲା। ବର୍ତ୍ତମାନ ଦୀପାବଳି ପୂର୍ବଦିନ ଓ ପରବର୍ତ୍ତୀ ସମୟରେ ବିଭିନ୍ନ ବିଷାକ୍ତ ବାଣ ବ୍ୟବହାର ଯୋଗୁ ବାୟୁମଣ୍ଡଳରେ ଓଜୋନ କ୍ଷୟକାରୀ ନାଇଟ୍ରୋଜେନ୍‌ ଅକ୍‌ସାଇଡ, ସଲଫର ଡାଇଅକ୍ସାଇଡ ପରିମାଣ ଦୁଇରୁ ତିନିଗୁଣ ଅଧିକ ହେଉଛି ବୋଲି ସର୍ବେକ୍ଷଣରୁ ପ୍ରତୀୟମାନ। ବାଣଫୁଟାରୁ ନିର୍ଗତ ସୂକ୍ଷ୍ମ ଧୂଳିକଣିକା ବାୟୁମଣ୍ଡଳରେ ଅଧିକ ରହୁଛି। ବିଭିନ୍ନ ରଙ୍ଗ ସୃଷ୍ଟିକାରୀ ଆତସବାଜିରେ ବେରିୟମ୍‌ ନାଇଟ୍ରେଟ୍‌, ଆଣ୍ଟିମୋନି, ଆଲୁମିନିୟମ୍‌, କପର୍‌, ଲିଥିୟମ୍‌, ଷ୍ଟ୍ରୋନସିୟମ୍‌ ପ୍ରଭୃତି ରାସାୟନିକ ପଦାର୍ଥର ଦହନ ଫଳରେ ନିର୍ଗତ ବିଷାକ୍ତ ବାଷ୍ପ ବାୟୁମଣ୍ଡଳରେ ଏକପ୍ରକାର ଘନ କୁହୁଡ଼ି ସୃଷ୍ଟି କରୁଛି। ପ୍ରତି ଦୀପାବଳି ଉତ୍ସବରେ ବେରିଅମ୍‌ ଓ ଆର୍ସେନିକ୍‌ ବ୍ୟବହୃତ ଶସ୍ତା ବାଣ ଫୁଟାଇବା ଦ୍ୱାରା ସହରରେ ଗୋଟିଏ ଗ୍ୟାସ୍‌ ପ୍ରକୋଷ୍ଠ ସୃଷ୍ଟି ହେଲାଭଳି ଭ୍ରମ ସୃଷ୍ଟି ହେଉଛି। ଏହାଛଡ଼ା ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଫୋଟକା ବ୍ୟବହାର ଫଳରେ ରୋଗୀ, ବୟସ୍କ ଓ ଗର୍ଭବତୀମାନଙ୍କର ଶାରୀରିକ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେଉଛି। ବିଶେଷଭାବରେ ଶ୍ୱାସ, ଫୁସ୍‌ଫୁସ୍‌, ହୃଦ୍‌ରୋଗ, ଟି.ବି., ଆଲର୍ଜି, ମାନସିକ ଅସନ୍ତୁଳନ ରୋଗର ମାତ୍ରା ବଢ଼ିଚାଲିଛି। ଏତଦ୍‌ବ୍ୟତୀତ ବାଣର ବେପରୁଆ ବ୍ୟବହାର ଫଳରେ ଶତକଡା ୬୧ ଭାଗ ପୁରୁଷ ଓ ୩୯ ଭାଗ ସ୍ତ୍ରୀ ଆଘାତପ୍ରାପ୍ତ ହେଉଛନ୍ତି। ୧୫ ବର୍ଷରୁ କମ୍‌ ବୟସର ପିଲା ଆକ୍ରାନ୍ତ ହୋଇ ଜରୁରିକାଳୀନ ଚିକିତ୍ସାଧୀନ ହେଉଛନ୍ତି।
ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ପ୍ରତି ଏକ ଘଣ୍ଟା ଫୋଟକା ଫୁଟାଇବା ଫଳରେ ବାୟୁମଣ୍ଡଳରେ ଷ୍ଟ୍ରୋନ୍‌ସିଅମ୍‌ ୧୨୦ ଗୁଣ, ମାଗ୍ନେସିୟମ୍‌ ୨୨ ଗୁଣ, ବେରିୟମ୍‌ ୧୨ ଗୁଣ, ପୋଟାସିୟମ୍‌ ୧୧ ଗୁଣ ଓ କପର୍‌ ୬ ଗୁଣ ଅଧିକ ରହୁଛି। ଫଳରେ ହାଡ଼ର କ୍ଷତି, ରକ୍ତ ଜମାଟ ବାନ୍ଧିବା ରୋଗ ଦେଖାଦେଉଛି। ଏପରିକି ବିସ୍ଫୋରକ ଫୋଟକା ଫୁଟାଇବା ଫଳରେ ବୃକ୍ଷ ଓ ପ୍ରାଣିଜଗତ, ବିଶେଷ କରି ଗୃହପାଳିତ ପଶୁମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।
ଦୀପାବଳିରେ ରାସାୟନିକ ରଙ୍ଗ ବ୍ୟବହାର ନ କରି ଚାଉଳ, ଅଟା, ଡାଲି ଜାତୀୟ ଶସ୍ୟ, ଅବିର, ଫୁଲଗଛ ପତ୍ରଗୁଣ୍ଡ, ହଳଦୀ ଇତ୍ୟାଦିରେ ରଙ୍ଗୋଲି ତିଆରି କରିବା ଉଚିତ। ଏକ ସୁସ୍ଥ ତଥା ସହନୀୟ ପରିବେଶକୁ ବଜାୟ ରଖିବାରେ ସବୁଜ ଦୀପାବଳି ପାଳନ ଏକ ଅଭିନବ ତଥା ଆଧ୍ୟାତ୍ମିକତାର ଉଚ୍ଚତର ସୋପାନ।
ଜଙ୍ଗଲ ଓ ପରିବେଶ ବିଭାଗର ସେଣ୍ଟର ଫର୍‌ ଏନ୍‌ଭାରନ୍‌ମେଣ୍ଟାଲ ଷ୍ଟଡିଜ୍‌ ତରଫରୁ ସଚେତନତା ଅଭିଯାନର ଅଂଶସ୍ବରୂପ ବିଭିନ୍ନ ବର୍ଗର ନାଗରିକଙ୍କ ପକ୍ଷରୁ ପାରିବେଶିକ ପ୍ରଦୂଷଣର ପରିମାଣ ହ୍ରାସ ପାଇଁ ସବୁଜ ଓ ସୁସ୍ଥ ଦୀପାବଳି ପାଳନର ଆବଶ୍ୟକତା ଉପରେ ଇକୋ କ୍ଲବ୍‌ ଓ ଶିକ୍ଷାନୁଷ୍ଠାନ ମାଧ୍ୟମରେ ବିହିତ ସଚେତନତା ଓ ସବୁଜ ଶପଥ ଗ୍ରହଣ କରିବାର ବ୍ୟବସ୍ଥା ହେଉଛି। ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ନିହିତ ଆତସବାଜି ବ୍ୟବହାର ନ କରିବା, ଗବେଷଣା ଉପଲବ୍ଧ ପରିବେଶ ସହନୀୟ ଅନୁମୋଦିତ ଆତସବାଜି ଯଥା ଫ୍ଲାଓ୍ବାର ପଟ୍‌, ପେନ୍‌ସିଲ ବାଣ, ଚକ୍ରି, ଫୁଲଝରି ପ୍ରଭୃତି ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ କିଣି ବ୍ୟବହାର କରିବା ଫଳରେ ବାୟୁମଣ୍ଡଳରେ କ୍ଷୁଦ୍ରାତିକ୍ଷୁଦ୍ର ଧୂଳିକଣାର ମାତ୍ରା ଶତକଡା ୩୦ ଭାଗ କମାଇବା ଓ ଶତକଡ଼ା ୧୦ ଭାଗ ସବୁଜଗୃହ ଗ୍ୟାସ ନିର୍ଗମନ ରୋକିବା ପାଇଁ ସନ୍ଦେଶ ଦିଆଯାଇଛି। ଜନପଦରୁ ଦୂରରେ ଏକ ଖୋଲା ଜାଗାରେ ନିୟମାନୁସାରେ ସବୁଜ ଆତସବାଜି ଫୁଟାଇବା ପାଇଁ ଆହ୍ବାନ ଦିଆଯାଉଛି। ସୁପ୍ରିମ୍‌କୋର୍ଟ ମଧ୍ୟ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଦୀପାବଳି ପାଳନରେ ସାବଧାନତା ଅବଲମ୍ବନ ନିମନ୍ତେ ଆଦେଶ ଦେଇଛନ୍ତି। ଦୀପାବଳିରେ ମାଟିଦୀପ ଓ ଗୃହ ପ୍ରସ୍ତୁତ କ୍ୟାଣ୍ଡେଲ ଜାଳିବା, ଘର ଭିତରେ ଫୋଟକା ନ ଫୁଟେଇବା, ଅଫୁଟା ବାଣରେ ଅଗ୍ନି ସଂଯୋଗ ନ କରିବା, ଇନ୍ଧନ ବ୍ୟବହୃତ ଗାଡ଼ି ପାଖରେ ବାଣ ନ ଫୁଟେଇବା, ବାଣ ଫୁଟାଉଥିବା ସମୟରେ ସୂତାଲୁଗା ପିନ୍ଧିବା, ସର୍ବଦା ପାଣି ବାଲ୍‌ଟି ପାଖରେ ରଖିବା, ମାଉଥ୍‌ ମାସ୍କ ବ୍ୟବହାର କରିବା, ବାଣ ଫୁଟିବା ସମୟରେ ଧୂଆଁ କିମ୍ବା ବାରୁଦ ଆଖିରେ ପଡ଼ିଲେ ସଙ୍ଗେ ସଙ୍ଗେ ଆଖିକୁ ଭଲଭାବେ ପାଣିରେ ଧୋଇବା, ଗର୍ଭବତୀ ମହିଳା ବାଣ ନ ଫୁଟାଇବା, ବାଣ ଫୁଟାଇବା ପରିଧି ମଧ୍ୟରେ କବାଟ, ଝରକା ବନ୍ଦ ରଖି ଫିଲଟରଯୁକ୍ତ ଏୟାର ପରିଶୋଧକ ବ୍ୟବହାର କରିବା, ବାଣ ଫୁଟାଉଥିବା ସମୟରେ ଆଘାତପ୍ରାପ୍ତ ହେଲେ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସିତ କରାଇବା ପ୍ରଭୃତି ସାବଧାନତା ଅବଲମ୍ବନ କରିବା ଉଚିତ।
ନିର୍ଦ୍ଦେଶକ, ସେଣ୍ଟର ଫର୍‌ ଏନ୍‌ଭାରନ୍‌ମେଣ୍ଟାଲ ଷ୍ଟଡିଜ୍‌, ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା, ମୋ- ୯୯୩୮୯୩୨୬୭୧