ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ଗଣତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ ରହିଛନ୍ତି ସେମାନଙ୍କ ସଂଖ୍ୟା ଗଣତି ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏ ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ସବୁଜ ପତ୍ରିକାଧାରୀଙ୍କ ସମ୍ପର୍କରେ ସେଭଳି କୌଣସି ତଥ୍ୟ ନ ଥିବା ଜଣାପଡିଛି। ଏବେ ତଥ୍ୟ ସଂଗ୍ରହ କରିବା ପରେ ସେମାନଙ୍କ ପାଇଁ ରାଜ୍ୟ ସରକାର କିଛି ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଗତ ନିର୍ବାଚନ ପୂର୍ବରୁ ସବୁଜ ପତ୍ରିକାଧାରୀଙ୍କ ପକ୍ଷରୁ ବିଭିନ୍ନ ଦାବି ତଥା ଶିକ୍ଷା ଏବଂ ସରକାରୀ ଚାକିରି କ୍ଷେତ୍ରରେ ସୁବିଧା ଦେବା ପାଇଁ ଦାବି କରାଯାଇଥିଲା। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ନିର୍ବାଚନ ପୂର୍ବରୁ ସଂଘଗୁଡିକର ଦାବି ସମ୍ପର୍କରେ ଆଲୋଚନା କରିବାକୁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ମଧ୍ୟ କରାଯାଇଥିଲା। ସେତେବେଳେ ଉକ୍ତ କମିଟି ସହ ସଂଘ ସଦସ୍ୟମାନେ ଆଲୋଚନା କରିଥିଲେ। ବର୍ତ୍ତମାନ ଦାବି ପୂରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସଂଖ୍ୟା ଗଣନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି।

Share