ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଗୁଜୁୁରାଣ ମେଣ୍ଟାଇବାକୁ ବେପାରୀଙ୍କୁ କମ୍‌ ଦରରେ ଧାନ ବିିକି କ୍ଷତି ସହୁଛନ୍ତି। ସରକାରୀ ଦର ଧାନ କୁଇଣ୍ଟାଲ ପିଛା୧୮୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସ୍ଥାନୀୟ ବେପାରୀ ଓ ଦଲାଲମାନେ ୧୧୫୦ରୁ ୧୨ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଯୋଗାଣ ବିଭାଗ, ମିଲର ଓ କୋ-ଅପରେଟିଭ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ଧାନକିଣା ବିଳମ୍ବିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ସଦର ବ୍ଲକର କସିପଦା, ହଳଦୀପଦା, ଛାନୁଆ, ଶ୍ରୀରାମପୁର, କଷାଫଳ, ସାର୍ଥା, ନଗ୍ରମ ସମେତ ବସ୍ତା ବ୍ଲକର ରାଉତପଡ଼ା, ମଥାନୀ, ପାଉଁଶକୁଲି ପ୍ରଭୃତି କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବା କାର୍ଯ୍ୟକ୍ରମ ରହିଛି। ଚାଷୀମାନେ ଧାନ ଅମଳ କରି ମଣ୍ଡି ଖୋଲିବାକୁ ଅପେକ୍ଷା କରି ବସିଛନ୍ତି। ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହୋଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଧାରକରଜ ଓ ଋଣ କରି ଚାଷୀ କରିଥିବା ଚାଷରୁ ଯାହା କିଛି ଅମଳ କରିଥିଲେ, ଏବେ ତାହାର ଅଭାବୀ ବିକ୍ରି ସେମାନଙ୍କୁ ଚିନ୍ତାରେ ପକାଇଛି। ମଣ୍ଡି ଖୋଲିବା ବିଳମ୍ବିତ ହେବାରୁ ବେପାରୀମାନେ ଏହି ସୁଯୋଗରେ ଫାଇଦା ଉଠାଇ କମ୍‌ ଦରରେ ଧାନ କିଣି ବାହାରକୁ ଚାଲାଣ କରୁଥିବା ଦେଖାଯାଉଛି। ରସଲପୁର ଚାଷୀ ତପନ କୁମାର ପ୍ର୍ରଧାନ କହିଛନ୍ତି, ପ୍ରତିବର୍ଷ ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରର ସମ୍ମୁଖୀନ ହେବାକୁ ପଡୁଛି। ଗଡ଼ପଦାର ଭାଗଚାଷୀ ଜୟନ୍ତ ଦେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ତପତ୍ର ନୁହନ୍ତି ବୋଲି କହିଛନ୍ତ। ରାଉତପଡ଼ା ସେବା ସମବାୟ ସମିତି ସମ୍ପାଦକ ସୃଷ୍ଟିଧର ରାଉତଙ୍କୁ ପଚାରିବାରୁ କହିଛନ୍ତି, ଧାନ କ୍ରୟ ପାଇଁ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ମଣ୍ଡି ଖୋଲିବା ଲାଗି ଏଯାବତ୍‌ କୌଣସି ସରକାରୀ ନିର୍ଦ୍ଦେଶନାମା ଆସି ନାହିଁ । ତେବେ ଯଥାଶୀଘ୍ର ମିଲର ନିଯୁକ୍ତି ହୋଇ ଧାନ କିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି।