ସବୁଠି ନିଗମଙ୍କ ଗୀତର ମହକ

ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ପ୍ରଥମେ ଯାହାଙ୍କୁ ଖୋଜାପଡ଼େ ସେ ହେଉଛନ୍ତି ନିଗମ ମିଶ୍ର। ପ୍ରତ୍ୟେକ ନାଟ୍ୟକାର ଚାହାନ୍ତି ତାଙ୍କ ନାଟକରେ ନିଗମ ମିଶ୍ର ଗୀତ ଲେଖନ୍ତୁ। ପ୍ରତ୍ୟେକ ସଙ୍ଗୀତ ନିର୍ଦ୍ଦେଶକ ଚାହାନ୍ତି ତାଙ୍କୁ ନିଗମ ମିଶ୍ରଙ୍କର ଲାଇନ୍‌ଟିଏ ମିଳୁ। ଏମିିତିକି ଅଧିକାଂଶ ଯାତ୍ରା ଗାୟକ ବି ଆଶା ରଖିଥାନ୍ତି ସେମାନଙ୍କୁ ନିଗମ ସାର୍‌ଙ୍କ ରଚିତ ଭଲ ଗୀତଟିଏ ବର୍ଷସାରା ଗାଇବାର ସୁଯୋଗ ମିଳୁ। ଏସବୁ ହେଉଛି ଗୀତିକାର ନିଗମ ମିଶ୍ରଙ୍କ ଦକ୍ଷତା ତଥା ଲୋକପ୍ରିୟତାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ତେବେ ନିଗମ ମିଶ୍ରଙ୍କ ଗୀତରେ ଏମିତି କ’ଣ ଥାଏ ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ? ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ ଏଇଆ ଯେ, ଗାୟକ ମୁହଁରୁ ବାହାରୁଥିବା ନିଗମଙ୍କ ଲେଖା ଗୀତର ଲାଇନ୍‌ ସିଧାସଳଖ ଆସି ଶ୍ରୋତାଙ୍କ ହୃଦୟ ଭିତରେ ପଶିଯାଏ। ସେଥିପାଇଁ ନିଗମ ମିଶ୍ର ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ସବୁଠୁ ବ୍ୟସ୍ତ ଗୀତିକାର। ଚଳିତବର୍ଷ (ବର୍ତ୍ତମାନ ସୁଦ୍ଧା) ନିଗମଙ୍କ ହାତରେ ରହିଛି ୧୮ଟି ଯାତ୍ରା। ସେଗୁଡ଼ିକ ହେଉଛି ‘ଶିବାନୀ’ ଗଣନାଟ୍ୟର ‘ବୋଉଲୋ ମୁଁ ବୋହୂ ହେବିନି’, ‘ବାହାଘର ନୁହେଁ ବାହାବଜାର’ ଏବଂ ‘ସବୁ ଅଧା ଅଧା ନଁାଟି ରାଧା’, ‘ସ୍ବର୍ଣ୍ଣମହଲ’ର ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ଅସତୀ ତୁଳସୀ ସତୀ ଚଉରା’ ଏବଂ ‘ସାବତ ସ୍ବାମୀ’, ‘ସ୍ବପ୍ନମହଲ’ର ‘ବାପା ବୋଉ ତମେ ଭୁଲ କଲ’, ‘ବାଦ୍‌ଶାହ, ଏବଂ ପ୍ରଦୀପ ବେହେରାଙ୍କ ରଚିତ ‘ଆପଣମାନେ ଖୁସି ତ’। ସେହିଭଳି ସେ ଲେଖିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଧଉଳି ଗଣନାଟ୍ୟ’ର ‘କାଳିଦାସଙ୍କର ନୂଆ କାହାଣୀ’, ‘କୋଣାର୍କ’ର ‘କଂସ’, ‘ବିଶ୍ୱ ଦରବାର’ର ‘ତମ କଥା ଭାରି ମନେପଡ଼େ’, ‘ବାଘାଯତୀନ ଲୋକନାଟ୍ୟ’ର ‘ତମ ସିନ୍ଦୂର କୋଉ ସ୍ବାମୀର’, ‘ରଙ୍ଗମହଲ’ର ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’, ‘ସୂର୍ଯ୍ୟମନ୍ଦିର’ର ‘ମାୟାବିନୀ ମୌସୁମୀ’ ଏବଂ ‘ପାର୍ବତୀ ଗଣନାଟ୍ୟ’ର ‘ସବୁଠି ବୁଲୁଛି ଶାଗୁଣା ଆଖି’। ସବୁଥର ପରି ଏଥର ବି ନିଗମଙ୍କ ଗୀତ ଓଡ଼ିଆ ଯାତ୍ରା ଜଗତରେ ଏକ ନିଆରାପଣ ଛାପ ଛାଡ଼ିଯିବ ସେକଥା ଅନସ୍ବୀକାର୍ଯ୍ୟ।

Share