ସବୁଠି ମରୁଡ଼ି ଆଶଙ୍କା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଆରମ୍ଭ ହେଲାଣି ଶ୍ରାବଣ। କିନ୍ତୁ ବର୍ଷାର ଦେଖାନାହିଁ। ରାଜ୍ୟର ଯେଉଁ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି, ତାହାକୁ ବି ଖରାତାତି ଶୋଷି ନେଉଛି। ଏବେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଜିଲାରେ ଖରାଦିନ ଭଳି ଅନୁଭବ ହେଉଛି। ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁ ନ ଥିବାବେଳେ ଚାଷୀର ଚିନ୍ତା ବଢ଼ିଯାଇଛି। ଯଦି ଆଉକିଛି ଦିନ ଭିତରେ ଆବଶ୍ୟକ ବର୍ଷା ନ ହୁଏ ତେବେ ଏଥର ସବୁ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଏଥର ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଆଶା କରାଯାଉଥିଲା ଭଲ ବର୍ଷା ହେବ। ହେଲେ ହଠାତ୍‌ ବର୍ଷା ଉଭାନ ହୋଇଯିବାରୁ ରାଜ୍ୟସାରା ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ଧାନ ବିଲ ଏବେ ପଡ଼ିଆ ହୋଇ ପଡ଼ିଛି। ଅଧିକାଂଶ ଜିଲାରେ ବିଲ ଫାଟି ଆଁ କରିଛି। ଏହି ସମୟରେ ଚାଷୀ ବିଲରେ ଧାନ ରୁଆ କାମ ଆରମ୍ଭ କରିବା କଥା। କିନ୍ତୁ ଚଳିତ ବର୍ଷ ତଳିପକା ଆରମ୍ଭ ହୋଇପାରିନାହିଁ। ବର୍ଷା ଭରସାରେ ଚାଷୀ ପକାଇଥିବା ଧାନ ତଳି ଏବେ ଶୁଖିବାକୁ ବସିଲାଣି। ରାଜ୍ୟର ଅନେକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିଲରେ କେବେ ପାଣି ହେବ ଓ ଚାଷ କାମ ଆରମ୍ଭ ହେବ, ସେହି ସମୟକୁ ଚାହିଁ ବସିଛନ୍ତି ଚାଷୀକୁଳ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରବିବାର କୋରାପୁଟରେ ୧୫ ମିଲିମିଟର ଓ ଫୁଲବାଣୀରେ ୬ ମିମି ବର୍ଷା ହୋଇଛି। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଆଦି ୧୧ ଜିଲାରେ ଝଡ଼ ତୋଫାନ ଓ ବଜ୍ରପାତର ଆଶଙ୍କା ରହିଥିବାରୁ ସତର୍କ କରାଯାଇଛି। ତେବେ ୨୪ ତାରିଖରେ କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଏବଂ ୨୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି।

Share