ସବୁଠୁ ତତଲା ସହର ସୋନପୁର

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାତି ଅସମ୍ଭାଳ ହୋଇପଡ଼ିଲାଣି। ଶୁକ୍ରବାର ୭ ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ସୋନପୁର ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଅନୁଗୋଳ ଓ ବଲାଙ୍ଗୀର ୪୧.୫, ତାଳଚେର ୪୧.୪, ଟିଟିଲାଗଡ଼ ଓ ବୌଦ୍ଧ ୪୧.୨, ମାଲକାନଗିରି ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଏହି ସମୟରେ ବିଭିନ୍ନ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କନ୍ଧମାଳର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସେହିଭଳି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲାରେ ବଜ୍ରପାତ ସମ୍ଭାବନା ରହିଛି। ୧୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜ, ୨୦ ତାରିଖରେ ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ କଟକ ଏବଂ ୨୧ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଗଞ୍ଜାମ ଜିଲାରେ ବଜ୍ରପାତ ଆଶଙ୍କା ରହିଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ପ୍ରତିଦିନ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share