ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର ମିଠା ଉପଲବ୍ଧ ହେଉଛି। ତେବେ ଆମେ ଏଠାରେ ଯେଉଁ ମିଠା ବିଷୟରେ କହିବାକୁ ଯାଉଛି ତାହା ସବୁଠୁ ଖାସ୍‌। ବ୍ରିଟେନ୍‌ର କାରିଗରମାନେ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ହାଲ୍‌କା ମିଠା, ଯାହାର ଓଜନ ମାତ୍ର ୧ ଗ୍ରାମ। ଉକ୍ତ ମିଠାର ୯୬ ପ୍ରତିଶତ କେବଳ ପବନ । ଅର୍ଥାତ୍‌ ପାଟିକୁ ମିଠା କରୁଥିବା ପଦାର୍ଥ ଏଥିରେ ମାତ୍ର ୪ ପ୍ରତିଶତ ଅଛି। ଏହି ମିଠାକୁ ଲଣ୍ଡନସ୍ଥ ଡିଜାଇନର୍‌ ଷ୍ଟୁଡିଓ ବାମପସ୍‌ ଆଣ୍ଡ ପାର୍‌ର କାରିଗରମାନେ ଏରୋଜେଲେକ୍ସ ଲାବୋରେଟୋରିର ବୈଜ୍ଞାନିକଙ୍କ ସହ ମିଶି ଜର୍ମାନୀର ହାମବର୍ଗରେ ତିଆରି କରିଥିଲେ। ଉକ୍ତ ମିଠାକୁ ପ୍ରସ୍ତୁତ କରିବାଲାଗି ବୈଜ୍ଞାନିକମାନେ ପ୍ରଥମେ ଦୁନିଆର ସବୁଠାରୁ ହାଲୁକା କଠିନ ପଦାର୍ଥ ‘ଏରୋଜେଲ’କୁ ଖାଦ୍ୟୋପଯୋଗୀ କଲେ। ତା’ପରେ ସେଥିରେ ସେମାନେ ମିଠାପଣ ଭରିଲେ। ଏରୋଜେଲର ଆବିଷ୍କାର ୧୯୩୧ରେ ହୋଇଥିଲା। ଏରୋଜେଲରେ ୯୫ରୁ ୯୯.୮ ପ୍ରତିଶତ ପବନ ଥାଏ। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏରୋଜେଲ୍‌କୁ ମିଠେଇରେ ରୂପାନ୍ତର କରାଯାଇଥାଏ।

Share