Categories: ବାଣିଜ୍ୟ

ସବୁ କଏନ୍‌ର ବୈଧତା ରହିଛି:ଆର୍‌ବିଆଇ

ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍‌) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା ଅଗ୍ରାହ୍ୟ ପ୍ରକାଶ ନ କରନ୍ତୁ ବୋଲି ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କଏନଗୁଡିକ ବଜାରକୁ ଛଡା ଯାଉଛି। କଏନଗୁଡିକର ଡିଜାଇନ ଏବଂ ଆକୃତି ଭିନ୍ନ ରହିଲେ ମଧ୍ୟ ଏହା ଅନେକ ଦିନ ଧରି ବ୍ୟବସ୍ଥାରେ ରହି ଆସିଛି। ସେହିଭଳି ବ୍ୟାଙ୍କଗୁଡିକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପରାମର୍ଶ ପ୍ରଦାନ କରିଛି। ବ୍ୟାଙ୍କଗୁଡିକ ସେମାନଙ୍କ ଶାଖାରେ କମ୍‌ ମୂଲ୍ୟର ନୋଟ କିମ୍ବା ଖୁଚୁରା ଗ୍ରହଣ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି। ଅର୍ଥାତ ବ୍ୟାଙ୍କଗୁଡିକ ସେମାନଙ୍କ ଶାଖାରେ ଖୁଚୁରା ଗ୍ରହଣ ଲାଗି ଅଗ୍ରାହ୍ୟ କରି ପାରିବେ ନାହିଁ। ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଥିମକୁ ନେଇ ବିଭିନ୍ନ ସମୟରେ କଏନ୍‌ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ୫୦ ପଇସା, ୧, ୨, ୫ ଏବଂ ୧୦ ଟଙ୍କା ମୂଲ୍ୟର କଏନ ବ୍ୟବସ୍ଥାରେ ପ୍ରଚଳିତ ରହିଛି। ଏଭଳି ସ୍ଥିତିରେ ଲୋକମାନେ ମଧ୍ୟ ଖୁଚୁରାକୁ ନେଇ କୌଣସି ଦ୍ୱନ୍ଦ୍ୱ ନ ରଖିବା ଉଚିତ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

Share