ସବୁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଅ

ନୂଆଦିଲ୍ଲୀ,୨୦ା୬(ଆଇଏଏନ୍‌ଏସ୍‌): କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗାଇବା ଦିଗରେ ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ (ଏଲ୍‌ଏନ୍‌ଜେପି) ହସ୍ପିଟାଲ ଏହାର ସମସ୍ତ ଓ୍ବାର୍ଡରେ ସିସିଟିଭି ଲଗାଇଥିବାରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ଏହା ହସ୍ପିଟାଲ ପରିଚାଳନା ସମେତ ରୋଗୀ ଯତ୍ନ ନେବାରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବ। କୋଭିଡ୍‌-୧୯ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଓ ହସ୍ପିଟାଲରେ ମୃତଦେହଗୁଡ଼ିକର ଠିକ୍‌ ପରିଚାଳନା ଲାଗି ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଅନେକ ଉପଦେଶ ଦେଇଛନ୍ତି। ଦିଲ୍ଲୀ ସମେତ ସବୁ ରାଜ୍ୟର କୋଭିଡ୍‌ ହସ୍ପିଟାଲରେ ସିସିଟିଭି ଲଗାଇବା ଦିଗରେ ପଦକ୍ଷେପ ନେବା ଲାଗି ମୁଖ୍ୟ ସଚିବମାନେ ପଦକ୍ଷେପ ନେବାକୁ ଅଦାଲତ କହିଥିଲେ। ସେହିପରି କୋଭିଡ୍‌ ପରୀକ୍ଷା ବଢ଼ାଇବା ଦିଗରେ ଉପଯୁକ୍ତ ଗାଇଡ୍‌ଲାଇନ ଜାରି କରିବା ଲାଗି ଖଣ୍ଡପୀଠ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ।

କର୍ନାଟକ ରଣନୀତି ଅନୁସରଣ ଲାଗି କେନ୍ଦ୍ରର ପରାମର୍ଶ

ଦେଶରେ ମହାମାରୀ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩.୮୬ ଲକ୍ଷରେ ପହଞ୍ଚିଥିବା ବେଳେ ୧୨,୬୭୭ ଲୋକଙ୍କ ଜୀବନ ଗଲାଣି। କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କର୍ନାଟକ ରଣନୀତି ଅନୁସରଣ କରିବାକୁ ଶୁକ୍ରବାର ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କରୋନାକୁ ରୋକିବା ଲାଗି ବ୍ୟାପକ ପରୀକ୍ଷା କରାଯିବା, ଫୋନ୍‌ ଜରିଆରେ ଘରକୁ ଘର ସର୍ଭେ କରିବା, ମହାମାରୀ ପରିଚାଳନା ଦକ୍ଷତାର ସହ କରିବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କର୍ନାଟକର ଉଦାହରଣ ଦେଇ କହିଛନ୍ତି।
ଦେଶରେ ଶୁକ୍ରବାର ୧୩, ୫୮୬ ନୂଆ ମାମଲା ଦେଖାଦେଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଥିବା ବେଳେ ତାମିଲନାଡ଼ୁ ଓ ଦିଲ୍ଲୀରେ ଯଥାକ୍ରମେ ୫୫ ହଜାର ଓ ୫୦ ହଜାର ସଂକ୍ରମିତ ହେଲେଣି। ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥିତି ଜଟିଳ ହେବାରେ ଲାଗିଛି। ତାମିଲନାଡ଼ୁରେ ଲଗାତର ୩ ଦିନ ହେବ ୨ ହଜାରରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇଦେଇଛି। ଯଦିଓ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି, ତଥାପି ଉଗ୍ର ସଂକ୍ରମଣ ସ୍ଥିତି ଲାଗି ରହିଛି। ରାଜସ୍ଥାନରେ ୧୪ ହଜାର, ଗୁଜରାଟରେ ୨୫ ହଜାର, ଉତ୍ତରପ୍ରଦେଶରେ ୧୫ ହଜାର, ପଶ୍ଚିମବଙ୍ଗରେ ୧୨ ହଜାର ଓ ମଧ୍ୟପ୍ରଦେଶରେ ୧୧ ହଜାରରୁ ଅଧିକ ରୋଗୀ ରହିଛନ୍ତି। ତେଣୁ ଏହାର ମୁକାବିଲା ଲାଗି ସମସ୍ତେ ସତର୍କ ଓ ସଚେତନ ରହିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି।

Share