ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ। ଦିନକ ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କ ନିକଟରେ କରିଥିବା ଦାବିକୁ ସେ ଦୋହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟର ଏନ୍‌ଜିଓ, ପ୍ରଶାସନିକ ଅଧିକାରୀ ଏବଂ ସ୍ବେଚ୍ଛାସେବୀମାନଙ୍କ ସହ ଯୋଗାଯୋଗ ରହୁଛି। ସେହିଭଳି ଓଡ଼ିଶାରେ ଏହି କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଛି। ଅନେକ ଗରିବ ଲୋକ ଏହି ସମୟରେ ଖାଇବାକୁ ପାଉନାହାନ୍ତି। ସେହିପରି ବହୁ ଗରିବ ପରିବାର ଅଛନ୍ତି ଯେଉଁମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ସେମାନଙ୍କୁ ଏହି ସମୟରେ ଚାଉଳ, ଡାଲି ଆଦି ପ୍ରଦାନ କରନ୍ତୁ। ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଗରିବଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share