Categories: ବାଣିଜ୍ୟ

ସବୁ ଗାଁକୁ ମିଳିବ ଗ୍ରାମ ନେଟ୍‌ ଓ୍ବାଇଫାଇ ସଂଯୋଗ

ନୂଆଦିଲ୍ଲୀ, ୨୭-୮: ଦେଶର ସବୁ ଗ୍ରାମକୁ ଗ୍ରାମ ନେଟ୍‌ ମାଧ୍ୟମରେ ୧୦ରୁ ୧୦୦ ଏମ୍‌ବିପିଏସ୍‌ ଗତିରେ ଓ୍ବାଇଫାଇ ସୁବିଧା ଯୋଗାଇ ଦିଆଯିବ। ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ରାମରାଓ ଧୋତ୍ରେ ଏହି ସୂଚନା ଦେଇଛନ୍ତି। ଏହା ବାଦ ଭାରତ ନେଟରେ ମଧ୍ୟ ୧ ଜିବିପିଏସ୍‌ ସଂଯୋଗ ପ୍ରଦାନ କରାଯିବା ନେଇ ଯୋଜନା କରାଯାଉଥିବା ଧୋତ୍ରେ ପ୍ରକାଶ କରିଛନ୍ତି। ଏହାକୁ ୧୦ ଜିବିପିଏସ୍‌ ପର୍ଯ୍ୟନ୍ତ ବଢାଯାଇ ପାରିବ। ସୋମବାର ଶୁଭାରମ୍ଭ ହୋଇଥିବା ସି-ଡଟର ଏକ୍ସଜିଏସ୍‌-ପିଓଏନ୍‌ ଏହାକୁ ସଫଳ କରିବା ଦିଗରେ ସମ୍ପୂର୍ଣ୍ଣ ସହାୟକ ହେବ। ଗ୍ରାମକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ପୂରଣ କରିବାରେ ଏହା ଯୋଗଦାନ ରଖିବ ବୋଲି ସେ ମତ ଦେଇଛନ୍ତି। ସେ ଆାହୁରୀ ମଧ୍ୟ କହିଛନ୍ତି ଯେ, ସି-ଡଟର ସି-ସ୍ୟାଟ ଫାଇ ପ୍ରଯୁକ୍ତି ଗ୍ରାମୀଣ ଏବଂ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଶସକ୍ତ କରିବ। ଦେଶର କୋଣ ଅନୁକୋଣରେ ମୋବାଇଲ ଫୋନରେ ଓ୍ବାଇଫାଇ ସୁବିଧା ଉପଲବ୍ଧ ହେବ। ନୂତନ ବୈଷୟିକ ଜ୍ଞାନକୌଶଳରେ ଫାଇବର ସଂଯୋଗ ଏବଂ ଇଣ୍ଟରନେଟ ନ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଉପଗ୍ରହ ସହ ସଂଯୋଗ କରାଯାଇ ମୂଖ୍ୟ ସ୍ରୋତକୁ ଆଣାଯାଇ ପାରିବ। ଏହି ଅବସରରେ ସି-ସ୍ୟାଟ ଫାଇ ଏବଂ ସିଆଇଏସ୍‌ଟିବିର ଲୋକାର୍ପଣ କରାଯାଇଛି।

Share