ଭୁବନେଶ୍ୱର,୧୩।୬(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ରାଜ୍ୟର ସମସ୍ତ ଜିଲାକୁ ଛୁଇଁଛି। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଉପକୂଳ ଓଡ଼ିଶାରେ ରହିଛି। ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନର ୭.୬ କି.ମି. ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ମୌସୁମୀ ଯୋଗୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୨୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୪୯, ଭୁବନେଶ୍ୱର ୨୦, ଅନୁଗୋଳ ୧୨.୪, ଝାରସୁଗୁଡ଼ା ୩୪, କେନ୍ଦୁଝର ୨୭, ସମ୍ବଲପୁର ୪୪, ତାଳଚେର ୧୪, କୋରାପୁଟ ୨୨.୪, ଟିଟିଲାଗଡ଼ ୨୧, ମାଲକାନଗିରି ୬୫.୭, ସୋନପୁର ୩୭.୪, ଦାରିଙ୍ଗବାଡି ୧୭ ଏବଂ ପାରଳାଖେମୁଣ୍ଡିରେ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।