ସବୁ ଜିଲାରେ ହେବ କୋଭିଡ-୧୯ ଟେଷ୍ଟିଂ ଲ୍ୟାବ: ଯୋଗୀ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହେବ କୋଭିଡ-୧୯ ଟେଷ୍ଟିଂ ଲ୍ୟାବ। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଘୋଷଣା କରିଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ୭୫ଟି ଜିଲାରେ ଟେଷ୍ଟିଂ ସେଣ୍ଟର ସ୍ଥାପନ କରାଯିବ। ଏଥିପାଇଁ ମୁଖ୍ୟ ସଚିବ ଡାକ୍ତରୀ ଶିକ୍ଷାର ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ରାଜ୍ୟରେ ୨୪ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ୧୦ଟି କଲେଜରେ ଟେଷ୍ଟିଂ ଲ୍ୟାବ ସଫଳତାପୂର୍ବକ କାର୍ଯ୍ୟ କରୁଛି। ତେବେ ଖୁବ୍‌ଶୀଘ୍ର ଆହୁରି ୧୪ଟି କଲେଜରେ କୋଭିଡ-୧୯ ଟେଷ୍ଟିଂ ଲ୍ୟାବର ସୁବିଧା କରାଯିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ଯଥା ସମ୍ଭବ ପକ୍ଷକ୍ଷେପ ଗ୍ରହଣ କରୁଛି। ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ଯେତିକି ସଂକ୍ରମିତ ହୋଇଛନ୍ତି, ସେଥିମଧ୍ୟରୁ ୫୫ ପ୍ରତିଶତ ମାମଲା ତବଲିଘ ଜମାତରୁ ଜଡିତ ଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ ରାଜ୍ୟରେ ୩୦୮ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୮ମାମଲା ତବଲିଘ ଜମାତ ସହ ଜଡିତ ଥିବା ବ୍ୟକ୍ତିଙ୍କର ରହିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share