ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ, ଡାକ୍ତରଖାନା ନିଜେ ନ ଆସି ୧୦୪କୁ ଫୋନ୍‌ କରନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ। ଯଦି ଥଣ୍ଡା ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଯାଇ ୧୦୪କୁ କଲ୍‌ କରନ୍ତୁ। ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଦିଅନ୍ତୁ। କଥା ହେବା ମଧ୍ୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ବୋଲି ଜାଣିଲେ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯିବ। ହେଲେ ଆପଣ ରୋଗୀକୁ ନେଇ ଡାକ୍ତରଖାନା ଆସନ୍ତୁ ନାହିଁ। କେବଳ ନିୟୋଜିତ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଣିବେ। କାରଣ ଏପରି କରିବା ଦ୍ୱାରା ଡାକ୍ତରଖାନାରେ ଥିବା ଅନ୍ୟ ରୋଗୀଙ୍କୁ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିବ ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହି ସମୟରେ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଏପରି କଲେ କେବଳ ବିପଦ ଟାଣି ଆଣିବେ। ମଦ ପିଇବା ଦ୍ୱାରା କରୋନା ହେବ ନାହିଁ ବୋଲି କୁହାଯାଉଛି। ହେଲେ କରୋନା ମଦ ପିଉଥିବା ଲୋକଙ୍କୁ ଖୋଜୁଛି। ମଦ ଔଷଧ ନୁହେଁ। ସେହିଭଳି ଜଡିବୁଟି ଖାଇ ଏଥିରୁ ରକ୍ଷା ପାଇହେବ ବୋଲି କୁହାଯାଉଛି। ହେଲେ ବାସ୍ତବତା ହେଲା ଏଥିରୁ ମୁକ୍ତି ପାଇବା ଲାଗି କୌଣସି ଔଷଧ ବାହାରିପାହିଁ। କେବଳ ହାତକୁ ପରିଷ୍କାର ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା ଆବଶ୍ୟକ। ସଂକ୍ରମଣର ଆଶଙ୍କା ଥିଲେ ସଂଗରୋଧ କରିବା ଉଚିତ। ଏବେ ଡାକ୍ତରଖାନାକୁ ଯିବାର ସମୟ ନୁହେଁ। ଅଯଥାରେ ସ୍ବାସ୍ଥ୍ୟକର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସରକାର ସୁରକ୍ଷିତ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ପ୍ରୟାସ କରୁଛନ୍ତି ବୋଲି ସେ ମଧ୍ୟ କହିଛନ୍ତି।

Share