ସବୁ ବର୍ଗର ସ୍କୁଲ୍‌ ପିଲାଙ୍କୁ ମିଳିବ ଡ୍ରେସ୍‌, ଜୋତା

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ସରକାରୀ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ମିଳିବ ଡ୍ରେସ୍‌ ଓ ଜୋତା। ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ କେବଳ ବିପିଏଲ୍‌ ପରିବାରର ପିଲାଙ୍କୁ ଡ୍ରେସ୍‌ ଓ ଜୋତା ସରକାର ଦେଉଥିଲେ। କିନ୍ତୁ ଆସନ୍ତା ବର୍ଷରୁ ସବୁବର୍ଗର ପିଲାଙ୍କୁ ଏହା ମିଳିବ। ଏହାଛଡ଼ା ସମସ୍ତ ଛାତ୍ରୀଛାତ୍ରଙ୍କୁ ପରିଚୟପତ୍ର ମଧ୍ୟ ଦିଆଯିବ। ଏଥିସହିତ ଛାତ୍ରୀଛାତ୍ରମାନେ ତଳେ ବସିବା ବଦଳରେ ସ୍କୁଲରେ ଥିବା ମ୍ୟାଟ୍‌ ବ୍ୟବହାର କରିବେ। ଅନ୍ୟପକ୍ଷରେ ଶିକ୍ଷକଙ୍କ ସ୍କୁଲ୍‌ ରହଣି ସମୟ ନେଇ ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେତେକ ଜିଲାରେ କଟକଣା ଲାଗୁ ହୋଇଥିବାବେଳେ ଶିକ୍ଷକଙ୍କ ଆଗମନକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି। ତେବେ ପୂର୍ବଭଳି ସ୍କୁଲର ସମୟସୀମା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ରହିବ ବୋଲି ମନ୍ତ୍ରୀ କହିିଛନ୍ତି।

Share