ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି କେହି ନାହିଁ କହିଲେ ଚଳେ। ହେଲେ ଏଠି ଏମିତି ଜଣେ ସେଲିବ୍ରିଟି ରହୁଛନ୍ତି ଯାହାଙ୍କର ପର୍ସନାଲ ଫୋନ ନମ୍ବର ତାଙ୍କ ଅଞ୍ଚଳର ସମସ୍ତ ଭିକାରିଙ୍କ ପାଖରେ ରହିଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୮୦ ଦଶକର ସେହି ‘ହିରୋ’ର ନାୟକ ଜ୍ୟାକି ଶ୍ରର୍ଫ ଏମିତି ଜଣେ ଅଭିନେତା ଯାହାଙ୍କ ପର୍ସନାଲ ନମ୍ବର ତାଙ୍କ ଘର ପାଖର ସମସ୍ତଙ୍କ ଭିକାରିଙ୍କ ପାଖରେ ରହିଛି ବୋଲି କୁହାଯାଏ। ୮୦ ଦଶକ ପୂର୍ବରୁ ଜ୍ୟାକି ମୁମ୍ବାଇରେ ଥିବା ସମୟରେ ଏକ ଚାଳ ଘରେ ରହୁଥିଲେ। ଗରିବ ପରିବାରରେ ଜନ୍ମ ନେଇଥିବା ଜ୍ୟାକି କେବେ ଭାବି ନ ଥିଲେ ତାଙ୍କର ପରିସ୍ଥିତିରେ ଏଭଳି ପରିବର୍ତ୍ତନ ଆସିବ ବୋଲି। ହେଲେ ବଲିଉଡ୍‌ରେ ଅଭିନୟ ପରେ ବଦଳି ଯାଇଥିଲା ତାଙ୍କର ଆର୍ଥିକ ପରିସ୍ଥିତି। ପ୍ରଥମେ ଅର୍ଥାଭାବରୁ ଅଧାରୁ ପାଠ ଛାଡିଥିବା ଜ୍ୟାକି ଆରମ୍ଭରେ ଶେଫ ଓ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ କାମ ମଧ୍ୟ କରିଛନ୍ତି। ହେଲେ ଯୋଗ୍ୟତା ନ ଥିବାରୁ ସେ ଆଉ ଉପରକୁ ଉଠି ପାରି ନ ଥିଲେ। ଦିନେ ବଲିଉଡ୍‌ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଅଫର୍‌ ପାଇ ସେ ବଲିଉଡ୍‌ରେ ପାଦ ରଖିଥିଲେ। ଆଉ ଏକାଥରେ ହୋଇଥିଲେ ସୁପର ହିଟ୍‌। ‘ହିରୋ’ ଫିଲ୍ମ ତାଙ୍କୁ ଆଣି ଦେଇଥିଲା ଅନେକ ସଫଳତା। ଏହାପରେ ବଳଦି ଯାଇଥିଲା ଜ୍ୟାକିଙ୍କ ଭାଗ୍ୟ। ହେଲେ ସେ ଯେ ଏକ ଗରିବ ପରିବାରରୁ ଆସିଛନ୍ତି ଏକଥାକୁ ସେ ପାସୋରି ଦେଇ ନ ଥିଲେ। ସେଇଥିପାଇଁ ତ ଆଜି ମୁମ୍ବାଇର ନାନାବତି ହସ୍ପିଟାଲରେ ରୋଗୀମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କର ଏକ ଆକାଉଣ୍ଟ ରହିଛି। ଏଥିରେ ପାଖାପାଖି ୧୦୦ ଗରିବ ପରିବାର ଉପକୃତ ହୁଅନ୍ତି ବୋଲି କୁହାଯାଏ। କେବଳ ସେତିକି ନୁହେଁ ଜ୍ୟାକି ପିଲାବେଳେ ଯେଉଁ ବାଲକେଶ୍ୱର ଅଞ୍ଚଳରେ ରହୁଥିଲେ ସେଠାରୁ ପାଲି ହିଲ୍ସ ପର୍ଯ୍ୟନ୍ତ ଯେତେ ଭିକାରି ଓ ପିଲାମାନେ ରହିଛନ୍ତି ସମସ୍ତଙ୍କ ପାଖରେ ଜ୍ୟାକିଙ୍କ ପର୍ସନାଲ ନମ୍ବର ରହିଛି। ଯେତେବେଳେ ଏମାନେ କୌଣସି ଅସୁବିଧାରେ ପଡନ୍ତି ଓ ଜ୍ୟାକିଙ୍କୁ ଫୋନ୍‌ କରନ୍ତି ତୁରନ୍ତ ଜ୍ୟାକି ଓରଫ ଜଗୁ ଦାଦା ହାଜର ହୋଇଯାଆନ୍ତି। କେବେ କେବେ ମନ ହେଲେ ଜ୍ୟାକି ତାଙ୍କର ସେପି ହୁରୁଣା ଚାଳ ଘରକୁ ଏବେବି ଯାଆନ୍ତି ବୋଲି କୁହାଯାଏ।

Share