ସବୁ ସ୍ବାସ୍ଥ୍ୟକେନ୍ଦ୍ରର ଜାତୀୟକରଣ ହେଉ

ନୂଆଦିଲ୍ଲୀ,୧୦।୪(ପି.ଟି.): କରୋନା ମହାମାରୀରୁ ଦେଶ ମୁକ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ମହାମାରୀର ମୁକାବିଲା ଲାଗି ଭାରତରେ ଯଥେଷ୍ଟ ସରକାରୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନାହିଁ। ତେଣୁ ମାଗଣାରେ କୋଭିଡ୍‌-୧୯ ପରୀକ୍ଷା ସମେତ ଚିକିତ୍ସା ଯୋଗାଇଦେବା ଲାଗି ସବୁ ହସ୍ପିଟାଲ, ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଓ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଦେଶରେ ମହାମାରୀଜନିତ ସଙ୍କଟକୁ ଦୃଷ୍ଟିରେ ରଖି ଘରୋଇ ଲାବରେଟୋରିଗୁଡ଼ିକରେ କରୋନା ପରୀକ୍ଷା ମାଗଣାରେ କରାଯିବା ଉଚିତ ବୋଲି ବୁଧବାର ସୁପ୍ରିମକୋର୍ଟ କହିଥିଲେ। ଘରୋଇ ଲାବରେଟୋରିଗୁଡ଼ିକ କୋଭିଡ୍‌-୧୯ ପରୀକ୍ଷା ଲାଗି ୪୫୦୦ ଟଙ୍କା ନେଉଛନ୍ତି। ଦିଲ୍ଲୀର ଆଇନଜୀବୀ ଅମିତ୍‌ ଦ୍ୱିବେଦୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି, ଉପଯୁକ୍ତ ବଜେଟ ବ୍ୟବସ୍ଥା ନ ଥିବାରୁ ଦେଶର ଜନସ୍ବାସ୍ଥ୍ୟ ବିଭାଗ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ସମୟରେ ଦେଶରେ ଘରୋଇ ସ୍ବାସ୍ଥ୍ୟସେବା ସେକ୍ଟରଗୁଡ଼ିକର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। କରୋନା ମୁକାବିଲା ଲାଗି ପର୍ଯ୍ୟାପ୍ତ ଚିକିତ୍ସା ଭିତ୍ତିଭୂମି ନ ଥିବାରୁ ଘରୋଇ ହସ୍ପିଟାଲଗୁଡ଼ିକର ସହଯୋଗ ଜରୁରୀ। ବିଶ୍ୱସ୍ତରରେ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଛି। ତେଣୁ କରୋନା ସଂକ୍ରମଣରୁ ଦେଶ ମୁକ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଘରୋଇ ହସ୍ପିଟାଲ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପିଟିଶନରେ ନିବେଦନ କରାଯାଇଛି।

Share