ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ ବିକାଶ ମଞ୍ଚର ୮ମ ବୈଠକରେ ଏନେଇ ଜୋରଦାର ଦାବି ଉପସ୍ଥାପନ କରାଯାଇଛି। ବଡସାହି ଓ ବେତନଟୀ ବ୍ଲକରେ ସାମୂହିକ ଉନ୍ନତି ମୂଳକ କାର୍ଯ୍ୟ ସମେତ ବଡସାହିରେ ଏକ ସବ୍‌ ରେଜିଷ୍ଟ୍ରାର ଅଫିସ ଖୋଲାଯିବା ଲାଗି ବୈଠକରେ ମଧ୍ୟ ଦାବି କରାଯାଇଥିଲା।
ବରିଷ୍ଠ ନାଗରିକ ଚୂଡାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଞ୍ଚର ସଦସ୍ୟମାନେ ଆଗାମୀ ଦିନର କାର୍ଯ୍ୟକ୍ରମ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ା ଖବରଦାତା ଅରୁଣ କୁମାର ଓତା ପୂର୍ବ ବୈଠକର ବିବରଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ମୟୂରଭଞ୍ଜ ଜିଲାର ଏକ ବଡ ବ୍ଳକ ଭାବେ ପରିଚିତ ବଡସାହିର ୩୦ ପଞ୍ଚାୟତରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ସବ୍‌ ରେଜିଷ୍ଟ୍ରାର ଅଫିସ ଥିବାରୁ ଜମି କିଣାବିକା କାରବାର ଲାଗି ଲୋକେ ହଇରାଣ ହେଉଛନ୍ତି। ଏଥିଲାଗି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ସ୍ଥିର ହୋଇଥିଲା। ସେହିପରି ବଡ଼ସାହି ଓ ବେତନଟୀଠାରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ନିର୍ମାଣ ସକାଶେ ଆବଶ୍ୟକ ପହୁଥିବା ଜମି ସମ୍ପର୍କରେ ପ୍ରଶାସନକୁ ସବିଶେଷ ତତ୍ୟ ଦେବା ଲାଗି ବୈଠକରେ ୫ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ସବ୍‌ଡିଭିଜନ ଦାବି ହାସଲ ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଉଭୟ ବ୍ଳକର ଦାବିକୁ ନେଇ ସଙ୍ଗଠନକୁ ମଜବୁତ କରିବା ସହ ଏଥିରେ ଅଞ୍ଚଳବାସୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଖବରଦାତା ମନୋଜ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share