Categories: ଜାତୀୟ

ସଭର୍‌କରଙ୍କ ନାଁରେ ଜେଏନ୍‌ୟୁ ମାର୍ଗ

ନୂଆଦିଲ୍ଲୀ, ୧୮ା୩: ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପ୍ରଶାସନ ପକ୍ଷରୁ ହିନ୍ଦୁତ୍ୱ ବିଚାରଧାରାରେ ବିଶ୍ୱାସ ରଖିଥିବା ନେତା ଭି.ଡି. ସଭର୍‌କରଙ୍କ ଏକ ସାଇନ୍‌ବୋର୍ଡ ମରାଯାଇ ତାଙ୍କ ନାମରେ କ୍ୟାମ୍ପସ୍‌ ଭିତରେ ଏକ ରାସ୍ତାର ନାମକରଣ କରାଯିବା ପରେ ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। କେତେକ ଏହି ସାଇନ୍‌ବୋର୍ଡକୁ ବିକୃତ କରିଦେବା ସହ ଆମ୍ବେଡକରଙ୍କ ନାମ ସ୍ପ୍ରେ ପେଣ୍ଟ୍‌ ଦ୍ୱାରା ଲେଖିଛନ୍ତି। ଏବିଭିପି ଅଧ୍ୟକ୍ଷ ଶିବମ୍‌ ଚୌରାସିଆ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେପଟେ କଂଗ୍ରେସ ସମର୍ଥିତ ପିଏଚ୍‌ଡି ଛାତ୍ର ସନ୍ନି ଧୀମାନ୍‌ ପ୍ରଶାସନର ଏଭଳି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଦେଶ କରୋନା ଭାଇରସ୍‌ ମୁକାବିଲା ଦିଗରେ କାମ କରୁଥିବା ବେଳେ ଏଭଳି ହୀନ ରାଜନୀତି କରାଯିବା ଆଦୌ ଉଚିତ ନୁହେଁ। ଧର୍ମ ନାମରେ ଦେଶକୁ ଭାଗ ଭାଗ କରିବା ଲାଗି ଚାହୁଁଥିବା ଜଣେ ନେତାଙ୍କ ନାମରେ ଏହି ମାର୍ଗର ନାମକରଣ କରାଯିବା କେବେହେଲେ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି।

Share