ସଭାପତି ପଦରେ ରହିଲେ ନିରଞ୍ଜନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଓଡ଼ିଶା କଂଗ୍ରେସକୁ ସଜାଡିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗଠନ କରାଯାଇଥିବା ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି। ଏହାସହ ପିସିସି ପଦାଧିକାରୀ କମିଟିକୁ ମଧ୍ୟ ରଦ୍ଧ କରାଯାଇଛି। ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଦୁଇ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ ଅପରିବର୍ତ୍ତିତ ରହିଛନ୍ତି। ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ନିରଞ୍ଜନ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏପରିକି ତାଙ୍କ ଇସ୍ତଫା ଗ୍ରହଣ କରିବା ଲାଗି ଇତି ମଧ୍ୟରେ ୩ଥର ଦିଲ୍ଲୀ ଯାଇ ଏଆଇସିସିକୁ ନିବେଦନ କରିଥିଲେ। ହେଲେ ତାଙ୍କ ଇସ୍ତଫାକୁ ଏଆଇସିସି ଗ୍ରହଣ କରିନାହିଁ। ଏଆଇସିସିର ଏଭଳି ନିଷ୍ପତ୍ତିକୁ ଦଳ ମଧ୍ୟରେ ବହୁ ବରିଷ୍ଠ ନେତା ସ୍ବାଗତ କରିଥିବାବେଳେ ଆଉ କେତେଜଣ ବିରୋଧ କରିଛନ୍ତି। ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ମାନିନେଇ କାର୍ଯ୍ୟ କରିବୁ। ଆମକୁ ଦଳରେ ଯାହା କାର୍ଯ୍ୟ କରିବାକୁ କୁହାଯିବ ତାକୁ ଠିକ୍‌ରେ ପାଳନ କରିବୁ ବୋଲି ସେ କହିଛନ୍ତି। ମାତ୍ର ଦଳ ଭିତରେ ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ବାହାର କରିବାକୁ ଚାହୁଁଥିବା ଗୋଷ୍ଠୀ ବର୍ତ୍ତମାନ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି। ଆଗକୁ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ ହେବା ଲାଗି ନେତାଙ୍କ ମଧ୍ୟରେ ସମନ୍ବୟ ରହିବାର ଯେଉଁ ଆବଶ୍ୟକତା ଥିଲା ତା’ ଉପରେ କୌଣସି ଗୁରୁତ୍ୱ ଦିଆ ନ ଯାଇ ନିରଞ୍ଜନଙ୍କୁ ଆଶ୍ୱସ୍ତି ମିଳିଥିବା ରାଜନୈତିକ ମହଲରେ ଆଲୋଚନା ଜୋର୍‌ ଧରିଲାଣି।

Share