ସଭାରୁ ଉଠି ଥାନା ଆଗରେ ବିଷ ପିଇଲେ ବୃଦ୍ଧ

ପୁରୀ ଅଫିସ,୩୧ା୧୨ : ଚନ୍ଦନପୁର ଥାନା ପରିସରରେ ସୋମବାର ରାତିରେ ଏକ ସଭା ଚାଲିଥିଲା। ତେବେ ଅଚାନକ ଜଣେ ବୃଦ୍ଧ ସଭାରୁ ଉଠି ଥାନା ଆଗରେ ବିଷ ପିଇଦେଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲୋକେ ଆଚମ୍ବିତ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ଚନ୍ଦନପୁର ମେଡିକାଲ ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ସେ ହେଲେ ବୀର ପ୍ରତାପ ପୁରୁଷୋତ୍ତମପୁର ନୂଆଗଁାର ଆନନ୍ଦ ଜେନା(୬୦)।
ମିିଳିିଥିବା ସୂଚନା ଅନୁଯାୟୀ, ନିକଟରେ ଉକ୍ତ ଥାନା ଅଞ୍ଚଳର ଜଣେ ଯୁବତୀ ବୃଦ୍ଧଙ୍କ ନାମରେ ବଳତ୍କାର ଉଦ୍ୟମ ଅଭିଯୋଗ ଆଣିଥିଲେ। ଏ ନେଇ ପୀଡ଼ିତାର ପରିବାର ଅଭିଯୋଗକ୍ରମେ ପୋଲିସ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ। ପରେ ଉଭୟ ପକ୍ଷରେ ମଧ୍ୟରେ ଆଲୋଚନା କରି ଆପୋସ ସମାଧାନ ଲାଗି ଥାନାଧିକାରୀ ସହ କଥାବାର୍ତ୍ତା ହୋଇଥିଲେ। ସୋମବାର ରାତି ପ୍ରାୟ ସାଢେ ୭ଟାରେ ଥାନା ପରିସରରେ ଥିବା ମଣ୍ଡପରେ ଉଭୟ ଗ୍ରାମର ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା ଚାଲିଥିଲା। ଏହି ଘଟଣାର ସମାଧାନ ଲାଗି ପୀଡ଼ିତାଙ୍କ ପକ୍ଷରୁ ସମ୍ପର୍କୀୟ ଓ ଗ୍ରାମବାସୀ ୫ଲକ୍ଷ ଦାବି କରିଥିଲେ। ପରେ ୨ଲକ୍ଷ ଦେବା ଲାଗି ବୃଦ୍ଧ ଜଣକ କୁଆଡ଼େ ରାଜି ହୋଇଥିଲେ ବୋଲି କୁହାଯାଉଛି। କିନ୍ତୁ ହଠାତ୍‌ ସେ ସଭା ଅଧାରୁ ଉଠି ଚାଲିଯାଇଥିଲେ। କିିଛି ସମୟ ପରେ ବୃଦ୍ଧ ଜଣକ ଥାନା ଆଗରେ ବିଷ ପିଇ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ପୋଲିସଙ୍କୁ ଜଣାଇବା ସହ ବୃଦ୍ଧଙ୍କୁ ହସ୍ପିଟାଲ ପଠାଇଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ବାମଦେବ ନନ୍ଦଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଉଠାଇ ନ ଥିଲେ। ତେବେ ଥାନା ପରିସରରେ କିପରି ଆପୋସ ସଭା ଆୟୋଜନ ଲାଗି ପୋଲିସ ଅନୁମତି ଦେଇଥିଲା, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।