ସଭିଙ୍କୁ ଧନ୍ୟବାଦ

ପ୍ରକାଶ ତ୍ରିପାଠୀ
ଏଇ କିଛିଦିନ ତଳର ଘଟଣା। ସେଦିନ ଥାଏ ରବିବାର। ଜଣେ ବନ୍ଧୁଙ୍କୁ ଆଣିବା ପାଇଁ ରେଲଓ୍ବେ ଷ୍ଟେଶନ ବାହାରିଲି। ମଧ୍ୟାହ୍ନ ବାରଟା ସମୟ ହେବ। ମୁଣ୍ଡଫଟା ଖରାରେ ଦେହମୁଣ୍ଡ ପୋଡି ଯାଉଥାଏ। ଘରଠାରୁ ଷ୍ଟେଶନ ପ୍ରାୟ ଦୁଇ କିଲୋମିଟର ହେବ ା ଅଳ୍ପ କିଛିବାଟ ଯାଇଛି କି ନାହିଁ ମୋଟରସାଇକେଲରେ କିଛି ତ୍ରୁଟି ଯୋଗୁ ଏହା ଅଟକିଗଲା। ଅନୁଧ୍ୟାନରୁ ଜାଣିଲି ତେଲ ବନ୍ଦ ଥିଲା। ତେଲ ସୁଇଚ୍‌ ଅନ୍‌ କରି ପୁନର୍ବାର କିକ୍‌ ମାରନ୍ତେ ଗାଡି ଷ୍ଟାର୍ଟ ହୋଇଗଲା ସତ, ମାତ୍ର ଜୋତାରୁ ବକ୍‌ଲିସ୍‌ (ଫିତା) ଛିଡିଗଲା। ଅବଶିଷ୍ଟ ରାସ୍ତା ସମ୍ପୂର୍ଣ୍ଣ ଜୋତାମନସ୍କ ହୋଇ ଯିବାକୁ ପଡିଲା। ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଛିଣ୍ଡା ଜୋତାରେ କେମିତି ଚାଲିବି ସେଇ ଚିନ୍ତାରେ ଥାଏ। ଆଖି ମୋର ଖୋଜି ବୁଲୁଥିଲା ଜୋତା ମରାମତିକାରୀ (ମୋଚି)ଙ୍କୁ। ହଠାତ୍‌ ନଜର ପଡିଲା ରାସ୍ତାର ଗୋଟିଏ କଡ଼ରେ, ବଡ଼ ଛତାଟିଏ ଲଗାଇ ମଧ୍ୟବୟସ୍କ ବ୍ୟକ୍ତିଟିଏ ବସିଛନ୍ତି। ସମ୍ମୁଖରେ ଗୋଟେ କାଠ ଢାବଲ ଉପରେ ଦୁଇ ଚାରି ହଳ ଛିଣ୍ଡା ଚପଲ, କିଛି ନୂଆ ଫିତା, ଜୋତାରେ ଲାଗିବାକୁ ଥିବା କିଛି ସୋଲ୍‌ ଓ ପଲିଶ୍‌ ଡବା। ଗୋଡ ଘୋଷାରି ଘୋଷାରି ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଲି ଓ ଜୋତାରେ ବକ୍‌ଲିସ୍‌ ସିଲାଇ କରିଦେବାକୁ କହିଲି। ଲୋକଟି ପ୍ରଥମେ ଗୋଟିଏ କାର୍ଡବୋର୍ଡ ପକାଇ ଦେଇ ତା’ ଉପରେ ଠିଆ ହେବାକୁ ମୋତେ ଅନୁରୋଧ କଲେ। ମୋ ପାଦର ସୁରକ୍ଷା ଚିନ୍ତା ଥିଲା ତାଙ୍କର। ମାତ୍ର ଦଶମିନିଟରେ ସିଲାଇ କରିବା ସହ ଜୋତା ପଲିଶ୍‌ କରି ମୋ ପାଦ ପାଖରେ ଅତି ଯତ୍ନର ସହ ସେ ରଖିଦେଲେ। ପାରିଶ୍ରମିକ ବୁଝି ତାଙ୍କ ହାତକୁ ଟଙ୍କା ବଢ଼ାଇ ଦେଲି ଓ ଧନ୍ୟବାଦ ସହ ମୋର କୃତଜ୍ଞତା ଜଣାଇଲି। କେତେ ବଡ଼ ସମସ୍ୟାରୁ ମୋତେ ସେଦିନ ସେହି ଜୋତା ମରାମତିକାରୀ ଉଦ୍ଧାର କରିଦେଲେ। ହଠାତ୍‌ ସେହି ଲୋକଟି ଭାବପ୍ରବଣ ହୋଇପଡିବା ମୁଁ ଲକ୍ଷ୍ୟ କଲି। ଆଖି ଛଳଛଳ କରି କହିଲେ- ସାର୍‌! ମୋର କାହିଁ ମନେ ପଡୁନି କାହାଠାରୁ ଧନ୍ୟବାଦଟିଏ କେବେ ପାଇଥିଲି। ହେଲେ ଆପଣଙ୍କ ତୁଣ୍ଡରୁ ଏଇ ପଦୁଟିଏ କଥା ଶୁଣି ସତେଯେମିତି ଏ ଝାଞ୍ଜି ଖରାରେ ସୁଶୀତଳ ପବନ ଝଲକାଏ ବହିଗଲା। ଅନେକ ଗରାଖ ଆସୁଛନ୍ତି। ସେମାନଙ୍କ ମଇଳା ଜୋତାକୁ ନିଜ ହାତରେ ସଫାକରି ମରାମତି କରୁଛି। ପଦୁଟିଏ ଧନ୍ୟବାଦ ବା ବକ୍‌ସିସ୍‌ ଦେବା ତ ଦୂରର କଥା, ମାଗିଥିବା ପାରିଶ୍ରମିକରୁ ବି ଦୁଇ ଚାରିଟଙ୍କା କାଟିକରି ଦିଅନ୍ତି। ମୂଲଚାଲ କରନ୍ତି। ଟ୍ରେନ୍‌ ଟାଇମ୍‌ ହୋଇଯାଇଥିବାରୁ ମୁଁ ବେଶି ସମୟ କଥା ହୋଇପାରି ନ ଥିଲି ସେହି ଜୋତା ମରାମତିକାରୀଙ୍କ ସହ। ହେଲେ ତାଙ୍କ ଅଭିମାନଭରା କଥା ମୋ କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା ଯେ, ତାଙ୍କ ସେବା ପାଇଁ କେହି ବି ତାଙ୍କୁ ଧନ୍ୟବାଦଟିଏ ଦିଅନ୍ତି ନାହିଁ।
ଜଣଙ୍କଠାରୁ ଉପକାର, ସାହାଯ୍ୟ, ସେବା ବା ସହଯୋଗ ପାଇ ପ୍ରତିବଦଳରେ ଅନ୍ତରରୁ କୃତଜ୍ଞତାଟିଏ ପ୍ରକାଶ ନ କଲେ ଏହା ଅଶିଷ୍ଟ ହୋଇଥାଏ। ଆମେ ଆମ ଜୀବନକାଳ ମଧ୍ୟରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ଅନ୍ୟର ସହଯୋଗ ଓ ସେବାରେ କାଟିଥାଉ। ଜନ୍ମ ସମୟରେ ମଣିଷ ଛୁଆଟିଏ ଯେପରି ପରିବାର ପରିଜନଙ୍କ ସର୍ବୋତ୍କୃଷ୍ଟ ସେବାରେ ବୃଦ୍ଧିପ୍ରାପ୍ତ ହୁଏ, ସେହିପରି ପରବର୍ତ୍ତୀ ଶୈଶବ, କୈଶୋର, ଯୁବ ଓ ପ୍ରୌଢ଼ ସମୟ ବି ଅନ୍ୟମାନଙ୍କ ଉପକାର ଓ ସେବାପ୍ରାପ୍ତିରେ ଅତିବାହିତ ହୋଇଥାଏ। ଏପରି କି ମୃତ୍ୟୁ ପରେ ବି ଆମ ମରଶରୀରର ଅନ୍ତିମ କ୍ରିୟା ପାଇଁ ଅନ୍ୟର କାନ୍ଧ ଆବଶ୍ୟକ ପଡିଥାଏ। ମାତୃ-ପିତୃ ଋଣ, ଗୁରୁ ଋଣ, ବନ୍ଧୁ ଋଣ ଓ ଆହୁରି ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ଋଣ (ସମାଜ ଋଣ)ରେ ମଣିଷ ଜୀବନ ବୁଡି ରହିଥାଏ। ଏହି ସବୁ ଋଣରୁ ମୁକ୍ତି ମିଳିବା ତ ସହଜ ନୁହେଁ, ମାତ୍ର ଅନ୍ୟଠାରୁ ଜୀବନର ବିଭିନ୍ନ ସୋପାନରେ ପାଇଥିବା ସେବା ଓ ସହଯୋଗ ପ୍ରତିବଦଳରେ ନିଜର କୃତଜ୍ଞତା ପ୍ରକାଶ କରିବା ଆଦୌ କଷ୍ଟକର ନୁହେଁ। ଟିକେ ନିରିଖେଇ ଦେଖିଲେ ଜାଣିପାରିବା ପ୍ରତ୍ୟହ ଆମେ କିପରି ଅନ୍ୟର ସେବା ଓ ଉପକାରରେ ଆଗକୁ ବଢିଚାଲିଛେ, ସରସ ସୁନ୍ଦର ଜୀବନ ଜିଇ ପାରୁଛେ। ଶିରା-ପ୍ରଶିରାକୁ ଟାଣ କରି ରିକ୍ସା ଭିଡି ଭିଡି ଆମକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେଉଥିବା ରିକ୍ସାବାଲା, ମୁଣ୍ଡରେ ଇଟାପଥର ବୋହି ଆମ ପାଇଁ ସ୍ବପ୍ନର ସୁରମ୍ୟ ଘର ନିର୍ମାଣ କରୁଥିବା ଶ୍ରମିକ, ଖରା-ବର୍ଷା-ଶୀତକୁ ଭ୍ରୂକ୍ଷେପ ନ କରି ସକାଳୁ ସକାଳୁ ଆପଣଙ୍କ ଘର ନିକଟରେ ପହଞ୍ଚି ଯାଉଥିବା କ୍ଷୀର ବାଲା, ପରିବା ବାଲା, ମାଛ ବାଲା ଓ ପେପର ବାଲା, ନିୟମିତ ଭାବେ ଆପଣଙ୍କ ଅଇଁଠାବାସନ ମାଜି, ଘରଦ୍ୱାର ଓଳାଇ ଆପଣଙ୍କ ଘରକୁ ସରସ ସୁନ୍ଦର କରୁଥିବା କାମବାଲୀ, ଆପଣଙ୍କ ଝିଅ-ପୁଅକୁ ନିରାପଦରେ ସ୍କୁଲକୁ ନବା-ଆଣିବା ତଥା ଆମ୍ଭମାନଙ୍କୁ ସମୟ-ଅସମୟରେ ନିରାପଦରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଉଥିବା ଅଟୋ, ଟ୍ୟାକ୍ସି ଓ ବସ୍‌ର କର୍ମଚାରୀମାନେ, ପ୍ରତିକୂଳ ପରିସ୍ଥିତିରେ ବି ପ୍ରକୃତି ସହ ସଂଘର୍ଷ କରି ଆମ ଖାଇବା ଥାଳିକୁ ପରିପୂର୍ଣ୍ଣ କରୁଥିବା କୃଷକ, ରକ୍ତକୁ ପାଣି ଫଟାଇ ଦିନରାତି ରାସ୍ତାଘାଟ, କୋଠାବାଡି ଗଢିବାରେ ସେବା ପ୍ରଦାନ କରୁଥିତ୍ବା ମେହେନତି ମଣିଷ, ସକାଳ ହେବା ପୂର୍ବରୁ ଆମେ ଯାତାୟାତ କରୁଥିବା ରାସ୍ତାରୁ ଅଳିଆ-ଆବର୍ଜନା ଉଠାଇ ପରିଷ୍କାର କରୁଥିବା ସଫେଇ କର୍ମଚାରୀ, ଆମ୍ଭମାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମଚାରୀ, ଆମ ମଇଳା ପିନ୍ଧାବସ୍ତ୍ରକୁ ସଫାକରି, ଇସ୍ତ୍ରି କରି ଦେଉଥିବା ଲଣ୍ଡ୍ରିବାଲା, ଆମକୁ ନୂଆ ନୂଆ ବେଶପୋଷାକରେ ଆକର୍ଷଣୀୟ କରୁଥିବା ଦରଜି, ଆମ ଅଯତ୍ନ କେଶ ଓ ନିଶଦାଢିକୁ ସଯତ୍ନେ ସଜାଉଥିବା ସେଲୁନ ବାଲା, ଆମ ଘରର ନଳକୂପ ଓ ପାଣି ପାଇପ ଲାଇନକୁ ନିମିଷକେ ସଜାଡି ଦେଉଥିବା ପ୍ଲମ୍ବର, ବିଦ୍ୟୁତ୍‌ ସରଞ୍ଜାମକୁ କାର୍ଯ୍ୟକ୍ଷମ କରି ଆମକୁ ସମୟ-ଅସମୟରେ ସେବା ପ୍ରଦାନ କରୁଥିବା ମେକାନିକ୍‌, ଆମକୁ ପାଠ ପଢ଼ାଇ ଶିକ୍ଷିତ ତଥା ରୋଜଗାରକ୍ଷମ କରାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ, ଆମ ସ୍ବାସ୍ଥ୍ୟରକ୍ଷାରେ ସେବା ପ୍ରଦାନ କରୁଥିବା ଡାକ୍ତର ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ, ସୁବିଧା-ଅସୁବିଧା ଓ ଭଲ-ମନ୍ଦରେ ପାଖରେ ଠିଆ ହୋଇ ସାହସ ଦେଉଥିବା ସାଙ୍ଗସାଥୀମାନଙ୍କୁ ଆମେ ଅନ୍ତରରୁ କେବେ କୃତଜ୍ଞତା ପୂର୍ବକ ଧନ୍ୟବାଦଟିଏ ଦେଇଛେ କି? ଧନ୍ୟବାଦ କେବଳ ଏକ ଶବ୍ଦ ନୁହେଁ। ନିଜ ଅନ୍ତରରେ ସୃଷ୍ଟି ହୋଇଥିବା ଶୁଦ୍ଧ ଭାବନା ପ୍ରକାଶ କରିବାର ଏହା ଏକ ବାହ୍ୟ ପ୍ରଦର୍ଶନ ଓ ସର୍ବୋତ୍କୃଷ୍ଟ ବାହାନା । ଧନ୍ୟବାଦ ପ୍ରଦାନ କେବଳ ଔପଚାରିକତା ଭିତରେ ଆବଦ୍ଧ ନ ରହି ଅନ୍ତରାତ୍ମାରୁ ନିଃସୃତ ହେଲେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥାଏ। ଅନ୍ୟକୁ ନିଜର କୃତଜ୍ଞତା ପ୍ରକାଶ ଦ୍ୱାରା ଯେଉଁ ସକାରାତ୍ମକ ତରଙ୍ଗ ସୃଷ୍ଟିହୁଏ, ଏଥିରେ ଉପକାର କରିଥିବା ବ୍ୟକ୍ତି, ଉପକାର ପାଇଥିବା ବ୍ୟକ୍ତି ଓ ସମୀପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ବି ପ୍ରଭାବିତ ହୋଇଥାନ୍ତି, ଉପକାର କରିବା ପାଇଁ ଏହା ଅଧିକରୁ ଅଧିକ ପ୍ରେରଣା ଯୋଗାଇଥାଏ। ବେଳେବେଳେ ଆମକୁ ସେବା ପ୍ରଦାନ କରୁଥିବା ମଣିଷଟିକୁ ପାରିଶ୍ରମିକ ପ୍ରଦାନ କରି ଭୁଲି ଯାଇଥାଉ ଧନ୍ୟବାଦ ଭଳି ଏକ ଛୋଟିଆ ଶବ୍ଦଟିକୁ ଉପଯୋଗ କରିବାକୁ। ଯେଉଁମାନଙ୍କ ସେବା ଓ ସହଯୋଗରେ ଆମେ ଜିଇଛେ ସେମାନେ ସମସ୍ତେ ଆମ ପାଇଁ ଜଣେ ଜଣେ ବିଶେଷ ମଣିଷ, ଆମ ପାଖରେ ଯେତେ ଧନସମ୍ପଦ ଥିଲେ ମଧ୍ୟ ଏହି ମଣିଷମାନେ ନ ଥିଲେ ଆମ ଜୀବନ ଦୁର୍ବିଷହ ହୋଇପଡନ୍ତା। ମାତ୍ର ଦୁଃଖର କଥା, ଆମ ଭିତରୁ ଅନେକ ମଣିଷ ଆମ ସେବାରେ ଆସୁଥିବା କିଛି ମଣିଷଙ୍କୁ କୃତଜ୍ଞତା ଜଣାଇବାକୁ ନିଜର ମର୍ଯ୍ୟାଦାହାନି ବୋଲି ଭାବନ୍ତି।
ଭାରତୀୟ ଦର୍ଶନ ଓ ସଂସ୍କୃତିରେ ଈଶ୍ୱରଙ୍କୁ ସର୍ବଶକ୍ତିମାନ୍‌ ଭାବେ ଗ୍ରହଣ କରାଯାଇଥାଏ ଏବଂ ପୃଥିବୀ, ଆକାଶ, ଅଗ୍ନି, ବାୟୁ ଓ ଜଳ ହିଁ ଏ ଜୀବଜଗତକୁ ତାଙ୍କର ଦାନ ବୋଲି ବିଚାର କରାଯାଇଥାଏ। ସେଥିପାଇଁ ପୂଜା ଓ ପ୍ରାର୍ଥନା ଜରିଆରେ ଆମେ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥାଉ ଓ ଧନ୍ୟବାଦ ଅର୍ପଣ କରିଥାଉ। ସେହିପରି ପାଶ୍ଚାତ୍ୟ ଜଗତରେ ବି ଧନ୍ୟବାଦ ଅର୍ପଣକୁ ଉତ୍ତମ ଶିଷ୍ଟାଚାର ଭାବେ ଗ୍ରହଣ କରାଯାଇଥାଏ। ଏପରି କି କାନାଡା, ଆମେରିକା ଆଦି ରାଷ୍ଟ୍ରରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଧନ୍ୟବାଦ ଅର୍ପଣ ଉତ୍ସବ ପାଳନ କରାଯାଏ। ମଣିଷ ଜୀବନ କ୍ଷଣସ୍ଥାୟୀ, ଆର ମୁହୂର୍ତ୍ତକୁ କ’ଣ ଘଟିବ ତାହା ମଧ୍ୟ କହିହେବ ନାହିଁ। ତେଣୁ ଜୀବଦ୍ଦଶାରେ ଥାଉଁ ଥାଉଁ ଆମ ପ୍ରତି ଉପକାର, ସାହାଯ୍ୟ ଓ ସହାନୁଭୂତି ଅଜାଡି ଦେଇଥିବା ପ୍ରତ୍ୟେକ ମଣିଷକୁ ଆସନ୍ତୁ କୃତଜ୍ଞତା ଜଣାଇବା ସହ ଅନ୍ତରରୁ ଧନ୍ୟବାଦଟିଏ ଦେବା ଓ ଭବିଷ୍ୟତରେ କୃତଜ୍ଞତା ପ୍ରଦର୍ଶନରେ ଯେପରି କାର୍ପଣ୍ୟ ପ୍ରଦର୍ଶନ ନ କରୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା।
ମୋ-୯୪୩୭୨୩୨୪୬୩, ଇମେଲ-Prakas.tripathy 09@gmail


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri