ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇମର୍ଜେନ୍ସି ରେସ୍‌ପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ ହୋଇଥିବାବେଳେ ଓଡ଼ିଶାରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟକୁ ସହଯୋଗ କରିବ। ଏକକ ଜରୁରିକାଳୀନ ନମ୍ବର ୧୧୨ ଜରିଆରେ ଲୋକମାନେ ପୋଲିସ ସେବା ସହ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ତୁରନ୍ତ ପାଇପାରିବେ। ଇଆରଏସ୍‌ଏସ୍‌ ଯୋଜନାରେ ଏହି ଆପତ୍‌କାଳୀନ ନମ୍ବର ବ୍ୟବସ୍ଥା ରହିବ। ସମସ୍ତ ଜରୁରିକାଳୀନ ସେବା ପାଇଁ ଆମେରିକାରେ ଗୋଟିଏ ନମ୍ବର ୯୧୧ ରହିଛି। ଏହି ସେବା ଅଚଳ ହୋଇଯାଇଥିବା ମୋବାଇଲ ସିମ୍‌ କାର୍ଡ ଓ ଲ୍ୟାଣ୍ଡଲାଇନ ମାଧ୍ୟମରେ ଉପଲବ୍ଧ ହୋଇପାରିବ। କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ୧୧୨ ନମ୍ବରକୁ କଲ୍‌ କରି ସହାୟତା ନେଇପାରିବେ। ସମସ୍ତ ଜରୁରିକାଳୀନ ନମ୍ବର ପର୍ଯ୍ୟାୟକ୍ରମେ ବନ୍ଦ କରି ଏହି ଏକକ ନମ୍ବରକୁ ବ୍ୟବହାର କରାଯିବ। ସେନେଇ ଯଥେଷ୍ଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶରେ ଗୁଡିଏ ଜରୁରିକାଳୀନ ନମ୍ବର ରହିଛି। ଯେପରି କି ପୋଲିସ ପାଇଁ ୧୦୦, ଅଗ୍ନିଶମ ବିଭାଗ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଏବଂ ଜରୁରୀ ବିପର୍ଯ୍ୟୟ ପରିଚାଳନା ଲାଗି ୧୦୮ ରହିଛି। ୧୧୨ ନମ୍ବରକୁ ଜରୁରୀ ସେବା ପାଇଁ ସମସ୍ତ ଟେଲିକମ୍‌ ଅପରେଟରମାନଙ୍କୁ କୁହାଯାଇଛି। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ। ଏହି ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଲୋକଙ୍କୁ ବିଭିନ୍ନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ବର ମନେରଖିବାକୁ ପଡ଼ିବନାହିଁ। ଏହାଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରିବା ସହ ନାଗରିକମାନଙ୍କର ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।

Share