ସମଗ୍ର ବିଶ୍ୱକୁ ‘ନମସ୍କାର’ର ବାର୍ତ୍ତା ଦେଲେ ପ୍ରିୟଙ୍କା

ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭକରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। କରୋନା ଯୋଗୁ ବଡ଼ ବଡ଼ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ଅନ୍ୟପଟେ କଳାକାରମାନେ ଏଥିରୁ ରକ୍ଷା ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କୁ ସାବଧାନ ରହିବାର ଉପାୟ ବତାଉଥିବା ଦେଖିବାକୁ ମିଳୁଛି।
ଇତିମଧ୍ୟରେ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନାରୁ ରକ୍ଷା ପାଇବା ପାଇଁ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭାରତୀୟ ଶୈଳୀ ଆପଣାଇ ନମସ୍କାର କରିବାକୁ ଉପଦେଶ ଦେଉଛନ୍ତି। ନିଜେ ପ୍ରିୟଙ୍କା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କର ଅନେକ ଫଟୋ ରହିଛି। ଯେଉଁଥିରେ ସେ ହାତ ଯୋଡି ନମସ୍କାର କରୁଥିବା ଦେଖିବାକୁ ମିଳୁଛି। ଏହି ଫଟୋଗୁଡିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସମୟର। ପ୍ରିୟଙ୍କାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି। ମେସେଜ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ସମଗ୍ର ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ମଧ୍ୟରେ ଲୋକଙ୍କୁ ଅଭିବାଦନ କରିବାର ଏକ ପୁରୁଣା କିନ୍ତୁ ନୂଆ ଉପାୟ ହେଉଛି ‘ନମସ୍କାର’। ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ପ୍ରିୟଙ୍କାଙ୍କ ଏହି ଭିଡିଓ ଇତିମଧ୍ୟରେ ୨୦ ଲକ୍ଷ ଥର ଦେଖାସରିଛି।

Share