ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା: ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ ଦେଇଥିଲେ।
ସମସ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଜିଲା ପ୍ରଶାସନର ହସ୍ତଗତ ହୋଇଛି। ଉକ୍ତ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ଅନୁପାଳନ କରିବାକୁ ସମସ୍ତ ବ୍ଲକର ବିଡିଓ, ସରପଞ୍ଚମାନଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସାଥ୍‌-ଇ କର୍ମକର୍ତ୍ତା, ବିଇଓଙ୍କୁ ନେଇ ଅନ୍‌ଲାଇନ ମାଧ୍ୟମରେ ସ୍କୁଲଗୁଡ଼ିକର ମନିଟରିଂ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ଆଲୋଚନା କରାଯାଇଥିଲା। ଏଥିସହ ସ୍କୁଲରେ ଆୟୋଜିତ ପରୀକ୍ଷାର ମାନବୃଦ୍ଧି, ପୋଷାକ ବିତରଣରେ ସ୍ବଚ୍ଛତା, ସ୍କୁଲ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ା ସମଗ୍ର ଶିକ୍ଷା ଯୋଜନା ଆନୁକୂଲ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ପ୍ରତି ମାସରେ ଶିକ୍ଷାର ମାନବୃଦ୍ଧି ପାଇଁ ସମୀକ୍ଷା ବୈଠକ ଆୟୋଜିତ ହେଉଛି। ଏଥିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଆବଶ୍ୟକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଡିଇଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ବିଇଓଙ୍କ ସମେତ ସମଗ୍ର ଶିକ୍ଷା ଅଭିଯାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Share