ସମବାୟ ମନ୍ତ୍ରୀଙ୍କ ଅଚାନକ ଗସ୍ତ:କୋଅପରେଟିଭ ୟୁନିୟନ, ଓପୋଲଫେଡ୍‌ କାର୍ଯ୍ୟାଳୟରେ ଅଧା କର୍ମଚାରୀ ଅନୁପସ୍ଥିତ

ଭୁବନେଶ୍ୱର,୧୭-୯(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ଅପରାହ୍ନରେ ଓଡ଼ିଶା ରାଜ୍ୟ କୋଅପରେଟିଭି ୟୁନିୟନକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ କାର୍ଯ୍ୟାଳୟ ବୁଲି ଦେଖିବା ସହ ଉପସ୍ଥାନ ଯାଞ୍ଚ କରିଥିଲେ। ଗସ୍ତ ସମୟରେ ଅନେକ କର୍ମଚାରୀ ନିଜ ଆସନରେ ନ ଥିବା ଦେଖିବାକୁ ପାଇଥିଲେ। ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ମନ୍ତ୍ରୀ ୨୦୧୮-୧୯ ବର୍ଷରେ ୟୁନିୟନ କି କି କାର୍ଯ୍ୟ କରିଛି ପଚାରି ବୁଝିବା ସହ ୧୯-୨୦ ଆର୍ଥିକ ବର୍ଷରେ କେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ମନ୍ତ୍ରୀ ଲକ୍ଷ୍ମୀସାଗରସ୍ଥିତ ଓପୋଲଫେଡ କାର୍ଯ୍ୟାଳୟ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସମାନ ଅବସ୍ଥା। ମୋଟ ୨୬ କର୍ମଚାରୀଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ଥିବା ଦେଖି ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତକରିଥିଲେ। କାର୍ଯ୍ୟାଳୟ ସମୟରେ ଉପସ୍ଥିତ ରହିବାକୁ ତାଗିଦ କରିଥିଲେ। ଓପୋଲଫେଡର ବାର୍ଷିକ ବଜେଟ ସମ୍ପର୍କରେ ମନ୍ତ୍ରୀ ପଚାରି ବୁଝିବା ସହିତ ଏହାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି ସୂତ୍ରକୁ ଅତି ନିଷ୍ଠାର ସହ ପାଳନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Share