ସମବାୟ ସଂସ୍ଥା ଦ୍ୱାରା କୃଷି ଋଣ ପ୍ରଦାନ ପାଇଁ ପ୍ରସ୍ତୁତ ହେବ ରୋଡ୍‌ ମ୍ୟାପ୍‌: ରଣେନ୍ଦ୍ର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ)- ରାଜ୍ୟରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରାଯିବ । କୃଷି କ୍ଷେତ୍ରରେ ଫସଲ ଋଣ ପ୍ରଦାନ ଦିଗରେ ସମବାୟ ସଂସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ସମବାୟ ସଂସ୍ଥାଗୁଡିକର କାର୍ଯ୍ୟଦକ୍ଷତା ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଅଣାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ସ୍ଥାନୀୟ ଆବାସିକ କାର୍ଯ୍ୟାଳୟରେ ନାବାର୍ଡ ଅଧିକାରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସ୍ବାଇଁ ଏନେଇ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଓଡ଼ିଶା ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକର ଇନ୍‌ସ୍ପେକସନ୍‌ ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା। ମନ୍ତ୍ରୀ କହିଥିଲେ, ବିଭାଗ ପକ୍ଷରୁ ପ୍ରତ୍ୟେକ ସମବାୟ ବ୍ୟାଙ୍କର ସମୀକ୍ଷା କରାଯାଉଛି  ଏଥିସହିତ ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ ନାବାର୍ଡ ପକ୍ଷରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବା ପାଇଁ ଅନୁରୋଧ କରିଥିଲେ । ବୈଠକରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହ ନିୟମିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକର ନିୟମିତ ଅଡିଟ୍‌ କରିବା ଓ ବକେୟା ଅଡିଟ୍‌ଗୁଡ଼ିକ ସଂପୂର୍ଣ୍ଣ କରିବା ଏବଂ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଅଧିକ ପେସାଦାର ଢଙ୍ଗରେ କାର୍ଯ୍ୟକରି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମବାୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟର ପ୍ରଦର୍ଶନ ସମ୍ପର୍କରେ ସମୀକ୍ଷା କରିବା ଦିଗରେ ନାବାର୍ଡ ନିକଟରେ ଉପଲବ୍ଧ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ଡାଟା ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ ଆଦିର ପ୍ରୟୋଗ ନେଇ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ଏ. ଚନ୍ଦ୍ରଶେଖର , ଜେନେରାଲ୍‌ ମ୍ୟାନେଜର ଏ.ପି. ଦାସ, ଡିଜିଏମ୍‌ ଭି. ବାଲସୁବ୍ରମଣ୍ୟମ ଏବଂ ଏଜିଏମ୍‌ ଏନ୍‌.ଏଲ୍‌ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Share