ସମଲେଇ ମନ୍ଦିରରେ ଗମ୍ଭୀରା ଦର୍ଶନ ବନ୍ଦ

ସମ୍ବଲପୁର,୧୭।୩ (ବ୍ୟୁରୋ)
ସମ୍ବଲପୁର ସମଲେଇ ମନ୍ଦିରର ଗମ୍ଭୀରା ଦର୍ଶନ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ଗମ୍ଭୀରା ବାହାରେ ରହି ମା’ଙ୍କ ଦର୍ଶନ କରିପାରିବେ। କରୋନା ମୁକାବିଲା ପାଇଁ ସୋମବାର ସକାଳେ ମନ୍ଦିର ଟ୍ରଷ୍ଟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୋମବାର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବାକୁ ୧ମିଟର ବ୍ୟବଧାନରେ ଲାଇନରେ ଛିଡା ହେବେ। ଏଥିପୂର୍ବରୁ ମନ୍ଦିର ପରିସରରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ସାବୁନରେ ହାତଧୋଇ ଭିତରକୁ ପ୍ରବେଶ କରିବେ। ମନ୍ଦିରରେ ଭିଡ ନ କରି ଶୀଘ୍ର ଦର୍ଶନ ସାରି ଫେରିବେ। ଭୋଗପରେ ମଧ୍ୟ ପ୍ରସାଦ ସେବନ ସମୟରେ ବ୍ୟବଧାନ ରଖି ବସିବେ। ଶ୍ରଦ୍ଧାଳୁମାନଙ୍କୁ କରୋନାର ସଚେତନ ବାର୍ତ୍ତା ଦିଆଯିବ। ପ୍ଳାଷ୍ଟିକ ଓ ବାଉଁଶ ତିଆରି ଡାଲାରେ ପ୍ରସାଦ ନେବା ଉପରେ କଟକଣା କରାଯାଇଛି। ଭକ୍ତମାନେ କାଗଜ ଠୁଙ୍ଗାରେ ଶୁଖିଲା ଭୋଗ ନେଇ ପାରିବେ । ମନ୍ଦିର କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ । ପୂଜକମାନେ ମଧ୍ୟ ସଚେତନ ରହିବେ। ଆବଶ୍ୟକ ପଡିଲେ ମାକ୍ସ ବ୍ୟବହାର କରିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୁଜକ ଓ ଟ୍ରଷ୍ଟ ସଭ୍ୟ ଉପସ୍ଥିତ ରହିଥିଲେ ।

Share