ସମଲେଶ୍ୱରୀଙ୍କ ପୀଠରେ ଖୁବ୍‌ଶୀଘ୍ର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’

ଭୁବନେଶ୍ୱର,୨୮|୨(ବ୍ୟୁରୋ): ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ଏଠାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ଶୋ’ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର ହୋଇଥିବାବେଳେ ଏହାର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଅଧାଅଧି ହେଲାଣି। ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।
ଓଟିଡିସି ଦ୍ୱାରା ହେବାକୁ ଥିବା ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ମନ୍ଦିର ଏବଂ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମାହାତ୍ମ୍ୟ ବିଷୟରେ ପର୍ଯ୍ୟଟକମାନେ ଅବଗତ ହୋଇପାରିବେ। ଏଥିଲାଗି ୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ କୋଣାର୍କରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ବ୍ୟବସ୍ଥା କରିଥିବା ଟ୍ରାଇକଲର୍‌ ସଂସ୍ଥା ଏହାର ଦାୟିତ୍ୱ ନେଇଛି। ବର୍ତ୍ତମାନ ଶୋ’ ପାଇଁ ସ୍କ୍ରିପ୍ଟ ତଥା କାହାଣୀ ଲେଖିବା କାମ ଚାଲିଛି। ଜିଲାସ୍ତରରେ ଏକ କମିଟି ଗଠନ କରାଯାଇ କାହାଣୀ ପ୍ରସ୍ତୁତି ହେଉଛି। ତାହା ଯେତେଶୀଘ୍ର ସରିବ ସେତେଶୀଘ୍ର ଶୋ’ର ଶୁଭାରମ୍ଭ ହେବ। ଓଡ଼ିଆ, ସମ୍ବଲପୁରୀ ସମେତ ହିନ୍ଦୀ ଓ ଇଂଲିଶ ଭାଷାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ପ୍ରଦର୍ଶିତ ହେବ। ଶବ୍ଦ ଓ ଆଲୋକର ଖେଳରେ ଐତିହ୍ୟ, କିମ୍ବଦନ୍ତୀର ଗାଥା ଦେଖିବାକୁ ମିଳିବ ବୋଲି ମିଶ୍ର କହିଛନ୍ତି।

Share