ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ: ଇଞ୍ଜିନ୍‌ରେ ଲାଗିଲା ନିଆଁ, ୩ କର୍ମଚାରୀ ମୃତ

ରାୟଗଡ଼ା ଅଫିସ/ଜୟପୁର,୨୫।୬(ନି.ପ୍ର.): ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଇଞ୍ଜିନ ସହ ଲଗେଜ ଭ୍ୟାନ୍‌ ଓ ଗୋଟିଏ ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ପରେ ଉଭୟ ଟ୍ରେନର ଇଞ୍ଜିନରେ ନିଅଁା ଲାଗିଯିବାରୁ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଟେକ୍ନିସିଆନ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲାର ସୁରେଶ, ରାୟଗଡ଼ାର ବରିଷ୍ଠ ସେକ୍ସନ ବିଦ୍ୟୁତ୍‌ ଇଞ୍ଜିନିୟର ସାଗର ଓ ବିଦ୍ୟୁତ୍‌ ଟେକ୍ନିସିଆନ ଗୌରୀ ନାଇଡୁ।  କର୍ତ୍ତବ୍ୟରେ ଅବହେଳା ଲାଗି ୨ ଷ୍ଟେଶନ୍‌ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ସମଲେଶ୍ୱରୀ ଏକ୍ସପ୍ରେସ୍‌ ହାଓ୍ବଡାରୁ ଜଗଦଲପୁର ଯାଉଥିଲା। ତେବେ ଉକ୍ତ ସ୍ଥାନରେ ଅନ୍ୟ ଏକ ଇଞ୍ଜିନକୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଇଞ୍ଜିନକୁ ଟ୍ରେନ୍‌ରୁ ଅଲଗା କରି ଦିଆଯାଇଛି। ଟ୍ରେନ୍‌ରେ ଥିବା ପାସେଞ୍ଜରଙ୍କ କୌଣସି କ୍ଷତି ଘଟି ନାହିଁ। ତେବେ ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କୋରାପୁଟ-ରାୟଗଡା ରେଳ ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି।

 

Share