ସମସ୍ତଙ୍କୁ ସଂକ୍ରମିତ କରିଦିଅ: କରୋନାରୁ ମୁକ୍ତି ପାଇଁ ‘ହର୍ଡ ଇମ୍ୟୁନିଟି’ ପ୍ଲାନ୍‌-ବି ଉପରେ ଚର୍ଚ୍ଚା ଜାରି !

ଓ୍ବାଶିଂଟନ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ ଦୂରତା ଅବଲମ୍ବନ ପାଇଁ ଗୁରୁତ୍ୱାରୋପ କରାଯାଉଛି। ଲକ୍‌ଡାଉନ୍‌ ଉଠାଇ ନିଆଗଲେ ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ହୋଇପଡ଼ିବ। ଲକ୍‌ଡାଉନ୍‌ ଭଳି ବ୍ୟବସ୍ଥା ଅଧିକ ଦିନ ଧରି ଜାରି ରଖିବା ସମ୍ଭବ ମଧ୍ୟ ହେବ ନାହିଁ। ଏହାଦ୍ୱାରା ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବା ସହିତ ଦିନ ଆସିବ ଲୋକେ ଖାଇବାକୁ ନ ପାଇ ଭୋକରେ ମରିବେ। ତେଣୁ ଏବେ ପୃଥିବୀର କେତେକ ଚିକିତ୍ସା ବିଶେଷଜ୍ଞ ସମସ୍ତଙ୍କୁ ସଂକ୍ରମିତ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ହର୍ଡ ଇମ୍ୟୁନିଟି ବୋଲି କୁହାଯାଇଥାଏ। ଏହାକୁ କରୋନାରୁ ମୁକ୍ତି ପାଇବାର ପ୍ଲାନ୍‌-ବି ଭାବେ ଗ୍ରହଣ କରିବାକୁ କେତେକ କହିଛନ୍ତି। ଏହା ଅତ୍ୟନ୍ତ ବିପଦଜନକ ହୋଇଥିବାରୁ ବହୁ ବିଶେଷଜ୍ଞ ଏହାର ବିରୋଧ ମଧ୍ୟ କରୁଛନ୍ତି। ଅଧିକ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହେଲେ ଶରୀରରେ ଆପେଆପେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହେବ। ଏହା କରୋନା ବିରୋଧରେ ସ୍ଥାୟୀ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ ବୋଲି ବହୁ ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share