Categories: ଖେଳ

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଛନ୍ତି। ପ୍ରଥମ ମ୍ୟାଚର ପ୍ରଥମ ସେଟରେ ସେ ବିଶ୍ୱର ୩ ନମ୍ବର ଖେଳାଳି ରୋଜର ଫେଡେରର୍‌ଙ୍କୁ ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ଅବଶ୍ୟ ୧୯ଟି ଗ୍ରାଣ୍ଡସ୍ଲାମ ବିଜେତା ଫେଡେରର୍‌ ସୁମିତଙ୍କୁ କୌଣସି ମଉକା ନ ଦେଇ ଶେଷ ୩ଟି ସେଟ୍‌ ନିଜ ନାମରେ କରିଥିଲେ। କିନ୍ତୁ ୨୨ବର୍ଷୀୟ ସୁମିତଙ୍କ ଖେଳ ପ୍ରତିଭା ଦେଖି ସମସ୍ତେ ପ୍ରଭାବିତ ହୋଇଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗର ୧୯୦ତମ ମାନ୍ୟତାପ୍ରାପ୍ତ ନାଗଲ ଫେଡେରରଙ୍କ ବିପକ୍ଷ ମ୍ୟାଚରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ। ୟୁଏସ ଓପନ୍‌ କ୍ୱାଲିଫାୟର୍ସ ମୁକାବିଲାରେ ସେ ବ୍ରାଜିଲର ଜୋଆଓ ମନେଜେସ୍‌ଙ୍କୁ ୫-୭, ୬-୪, ୬-୩ ସେଟରେ ପରାସ୍ତ କରି ମେନ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସୂଚନାଯୋଗ୍ୟ, ସୁମିତ ଗତ ବର୍ଷ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ, ଫ୍ରେଞ୍ଚ ଓ ଓ୍ବିମ୍ବେଲଡନ ଓପନର ଯୋଗ୍ୟତା ପର୍ଯ୍ୟାୟ ଖେଳିଥିଲେ ମଧ୍ୟ ପ୍ରଥମ ରାଉଣ୍ଡ ଅତିକ୍ରମ କରିିବାକୁ ସକ୍ଷମ ହୋଇ ନ ଥିଲେ।

Share