Categories: ବାଣିଜ୍ୟ

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ ମୁତାବକ ଋଣ ସୁଧ ହାର ଚୟନ କରନ୍ତି। ତେବେ ଅକ୍ଟୋବର ପହିଲାରୁ ବ୍ୟାଙ୍କଗୁଡ଼ିକ ସମସ୍ତ ଅସ୍ଥାୟୀ ଋଣକୁ ରେପୋରେଟ୍‌ ଓ ବାହ୍ୟ ବେଞ୍ଚମାର୍କ ଆଧାରିତ ସୁଧ ହାର ସହ ଯୋଡିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି। ଏହାବ୍ୟତୀତ ରେପୋ ଭଳି ବାହ୍ୟ ବେଞ୍ଚ ମାର୍କ ଅଧୀନରେ ଥିବା ସୁଧ ହାରକୁ ୩ ମାସରେ ଅତିକମ୍‌ରେ ଥରେ ବଦଳାଇବାକୁ ନିର୍ଦ୍ଦେଶରେ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବାରମ୍ବାର ରେପୋ ରେଟ ହ୍ରାସ କରାଯାଇଥିଲେ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ଗ୍ରାହକଙ୍କ ନିକଟରେ ପହଞ୍ଚାଉ ନ ଥିବାରୁ ଏହାକୁ ନେଇ ଆର୍‌ବିଆଇ କ୍ଷୁବ୍ଧ। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ମୋଟ୍‌ରେ ୧.୧୦ ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ ୦.୮୫% ରେପୋ ରେଟ ହ୍ରାସ କରିଛନ୍ତି। ଆର୍‌ବିଆଇର କହିବାନୁଯାୟୀ, ବ୍ୟାଙ୍କଗୁଡ଼ିକ ଅଗଷ୍ଟ ସୁଦ୍ଧା ମାତ୍ର ୦.୩୦ ପ୍ରତିଶତ ସୁଧ ହାର ହ୍ରାସ କରିଛନ୍ତି, ଯାହା ଅତ୍ୟନ୍ତ ନଗଣ୍ୟ। ଅନ୍ୟପକ୍ଷରେ ବ୍ୟାଙ୍କଗୁଡ଼ିକ ଯୁକ୍ତି ଦର୍ଶାଇଛନ୍ତି ଯେ, ବକେୟା ଋଣ ମିଳିବା କମ୍‌ ହେଉଥିବାରୁ ରେପୋ ରେଟ୍‌ ହ୍ରାସର ଫାଇଦା ଦେବାରେ ବିଳମ୍ବ ହେଉଛି। ସେହିପରି ବେଞ୍ଚମାର୍କ ଆଧାରିତ ସୁଧ ହାରରେ ଋଣ ନେଉଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍‌ବିଆଇ ଆଶ୍ୱସ୍ତ କରିବାକୁ ଚାହିଁଛି। ଅକ୍ଟୋବର ପହିଲାରୁ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଋଣ ଉପରେ ବେଞ୍ଚମାର୍କ ଆଧାରିତ ସୁଧ ହାରକୁ ରେପୋ ରେଟ ସହ ଯୋଡିବାକୁ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ ଏଣିକି ଶସ୍ତାରେ ଋଣ ପାଇବେ।

Share