ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: କରୋନା ସଙ୍କଟକୁ ନେଇ ଏବେ ଦେଶରେ ଚାଲିଛି ଲକ୍‌ଡାଉନ ୩.୦। ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସଙ୍କଟ ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ କଥାହେବେ ବୋଲି ସୂଚନା ମିଳିଛି। ସୋମବାର ଅପରାହ୍ନ ୩ଟାରେ ସେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଲକ୍‌ଡାଉନକୁ ନେଇ ବିଶେଷ ଆଲୋଚନା ହୋଇପାର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏପ୍ରିଲ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଂକ୍ରମଣକୁ ଦୂରେଇ ଦେବା ପାଇଁ ଜାରି କରାଯାଇଥିବା ଲକ୍‌ଡାଉନକୁ ନେଇ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏଥର ପୁଣି ଲକ୍‌ଡାଉନ ବୃଦ୍ଧି ପାଇଁ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ଆଉ ଏକ ମାସ ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମେ’ ୧୭ ଯାଏ ବୃଦ୍ଧି କରାଯାଇଥିଲା।

Share