ସମସ୍ୟା ଘେରରେ ଶିଶୁ ଓ୍ବାର୍ଡ

କେନ୍ଦୁଝର, ୮ା୯ (ସ୍ବ.ପ୍ର.)- ଶିଶୁଙ୍କୁ ଉନ୍ନତ ଚିକିତ୍ସା, ସୁବିଧା ଯୋଗାଇ ଦେବା ଲାଗି କେନ୍ଦୁଝର ଜିଲା ମୁଖ୍ୟ ଚିକତ୍ସାଳୟରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଶିଶୁ ଓ୍ବାର୍ଡରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। କେତେବେଳେ ପିଇବା ପାଣି ସମସ୍ୟା ତ ଆଉ କେତେବେଳେ ଶଯ୍ୟା ଅଭାବରୁ ନବଜାତ ଶିଶୁକୁ ଧରି ପ୍ରସୂତିମାନେ ତଳେ ଶୋଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଭିତ୍ତିଭୂମିର ସୁଧାର ଅଣାଯାଉ ନାହିଁ ା ଏଥିସହ ଚକିତ୍ସା କାର୍ଯ୍ୟରେ ଅବହେଳା ନେଇ ସବୁବେଳେ ଏହି ଓ୍ବାର୍ଡ ଚର୍ଚ୍ଚାରେ ରହି ଆସୁଛି ା
ଶନିବାର ସକାଳେ ଶିଶୁ ଓ୍ବାର୍ଡରେ କେହିି ଡାକ୍ତର ନ ଥିବାରୁ ଶିଶୁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ଓ ଅଭିଭାବକ ହଇରାଣ ହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ା ରାତି ଡ୍ୟୁଟିରେ ଥିବା ଡାକ୍ତର ଓ୍ବାର୍ଡ ଛାଡି ଚାଲି ଯାଇଥିବା ବେଳେ ସକାଳେ ଯୋଗଦେବାକୁ ଥିବା ଡାକ୍ତର ପହଞ୍ଚି ନ ଥିଲେ। ଉପଯୁକ୍ତ ତଦାରଖ ଅଭାବ ଯୋଗୁ ଶିଶୁ ଓ୍ବାର୍ଡରେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଉପସ୍ଥିତ ଥିବା ନର୍ସମାନଙ୍କୁ ପଚାରିଲେ ଡାକ୍ତର କେଉଁଠି ଅଛନ୍ତି ଏବଂ କିଏ ଡ୍ୟୁଟିରେ ଅଛନ୍ତି, କହିପାରି ନ ଥିଲେ ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ ଅଜୟ କୁମାର ପଣ୍ଡା ଅଭିଯୋଗ କରିଛନ୍ତି। ଅନେକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ଶଯ୍ୟା ଅଭାବ ଚିନ୍ତା ବଢାଉଛ। ଏନେଇ ସିଡିଏମଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫୋନ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହି ା