ସମସ୍ୟା ବଢ଼ାଉଛି ଫେକ୍‌ କଲ୍‌: ୧୦୮ ଆମ୍ବୁଲାନ୍ସ ଡାକି ସମ୍ପର୍କୀୟଙ୍କ ଘରକୁ ଗଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ପାଇଁ ଦିନକୁ ଦିନ ଫେକ୍‌ କଲ୍‌ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଅସୁବିଧାର ବାହାନା କରି ଲୋକେ ଏହି ଜରୁରିକାଳୀନ ସେବାର ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ନିକଟରେ ଦୁଇଜଣ ଯୁବକ ଏଭଳି ଆମ୍ବୁଲାନ୍ସକୁ ବ୍ୟବହାର କରି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜଣାପଡିଛି। ବାଲେଶ୍ୱର ଜିଲା ନୀଳଗିରି ଥାନା ଔପଦା ଖଜିରା ଗ୍ରାମରେ ଗତ ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି। ସକାଳ ପ୍ରାୟ ୯ଟାରେ ଖଜିରା ଅଞ୍ଚଳର ରାମଚନ୍ଦ୍ର ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ କେହି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା କହି ୧୦୮ ଆମ୍ବୁଲାନ୍ସକୁ କଲ୍‌ କରି ଡାକିଥିଲେ। ଆମ୍ବୁଲାନ୍ସ ପହଞ୍ଚତ୍ ଆତ୍ମହତ୍ୟା କରୁଥିବା ଯୁବକଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯିବା ପାଇଁ କହିଥିଲେ। ହେଲେ ଉକ୍ତ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ମନା କରିଦେଇଥିଲେ। ଏହା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ପ୍ରଥମେ କିଛି ବୁଝି ପାରି ନ ଥିଲେ। ପରବର୍ତ୍ତୀ ସମୟରେ କର୍ମଚାରୀମାନେ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ବିଷୟରେ ଜାଣିପାରିଥିଲେ। ଯୁବକ ଦୁଇଜଣ ମିଛ କହି ଆମ୍ବୁଲାନ୍ସକୁ ଡାକିଥିବା ଯୋଗୁ କର୍ମଚାରୀମାନେ ଏନେଇ ଥାନାରେ ଅଭିଯୋଗ କରିବା ପାଇଁ କହିବା ପରେ ଯୁବକ ଦୁଇଜଣ ବାଧ୍ୟହୋଇ ଆମ୍ବୁଲାନ୍ସରେ ବସିଥିଲେ। ହେଲେ ପ୍ରାୟ ୨ କିମି ଯିବା ପରେ ହାତୀଖୁଲିଆ ନିକଟରେ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଣିବାର ବାହାନା କରି ଉଭୟ ଆମ୍ବୁଲାନ୍ସରୁ ଓହ୍ଲାଇ ଯାଇଥିଲେ। ଆସିବାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ କର୍ମଚାରୀ ଫୋନ୍‌ କରିବାରୁ ସେମାନେ ଆଉ ଆସିବେ ନାହିଁ ବୋଲି କହିଥିଲେ। ତେବେ ଯୁବକ ଦୁଇଜଣ ଜାଣିଶୁଣି ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଏଭଳି କାଣ୍ଡ କରିଥିବା ଜଣାପଡିଥିଲା। ଏନେଇ ଆମ୍ବୁଲାନ୍ସ ସେବା ଦାୟିତ୍ୱରେ ଥିବା ମ୍ୟାନେଜର ହାବିବୁର ରହମାନ ଥାନାରେ ଅଭିଯୋଗ କରିଥିଲେ।

Share