ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୮ା୧୦: ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀମାନେ ଆମିଷ ଖାଦ୍ୟ ଗ୍ରହଣ କରିଥିଲେ। ହେତୁବାଦୀମାନଙ୍କର ଏହି କାର୍ଯ୍ୟକଳାପକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସମାଲୋଚନା କରିଛନ୍ତି। ଜଗଦ୍‌ଗୁରୁ କହିଛନ୍ତି, ଶାସ୍ତ୍ର ସମ୍ପର୍କରେ ଜ୍ଞାନ ନ ଥିବା ଲୋକେ ଏଭଳି କରିଛନ୍ତି। ଖାଦ୍ୟ ଖାଉଥିବା ଲୋକଙ୍କୁ ଦିନେ ଖାଦ୍ୟ ଖାଇବ। ବିଜ୍ଞାନଠାରୁ ହିନ୍ଦୁ ଦର୍ଶନ ପ୍ରେରଣା ପାଇଛି। ରାତିରେ ଦହି ସେବନ କରିବା ଦ୍ୱାରା ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ବିଜ୍ଞାନ ମଧ୍ୟ ଏଭଳି ତଥ୍ୟକୁ ଗ୍ରହଣ କରେ। ଏଣୁ ଶାସ୍ତ୍ର ବିଜ୍ଞାନ ସମ୍ମତ ନୁହେଁ ବୋଲି ଭାବିବା ମାନବ ସମାଜର ମୂର୍ଖାମୀ। ସେହିଭଳି ସୂର୍ଯ୍ୟୋପରାଗ ବା ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ତ୍ୟାଗର ବୈଜ୍ଞାନିକ କାରଣ ରହିଛି। ସନାତନ ଧର୍ମରେ ଥିବା ଦର୍ଶନକୁ ବିଜ୍ଞାନର ଉପଯୋଗ ଭାବେ ଗ୍ରହଣ କରାଯିବା ଦରକାର। ସନାତନ ଧର୍ମର ନୀତି ନିୟମକୁ ଉଲ୍ଲଂଘନ କରିବା ଧୃଷ୍ଟତାର ପରିଚୟ। ବିଜ୍ଞାନ ଓ ସନାତନ ଧର୍ମ ମଧ୍ୟରେ ଥିବା ବଳିଷ୍ଠ ଯୋଗସୂତ୍ରକୁ ସମସ୍ତେ ଅଧ୍ୟୟନ କରିବା ଦରକାର ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି।