Categories: ଭଦ୍ରକ

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଧାନକିଣା କାର୍ଯ୍ୟ ବନ୍ଦ ରହିଛି। ଚଳିତବର୍ଷ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଟୋକନ କଟିଯିବାରୁ ଏହି ଚାଷୀମାନେ ସମିତିରେ ଧାନ ପକାଇଥିଲେ ମଧ୍ୟ ବିକ୍ରି କରି ନ ପାରି ହତାଶ ହେଉଛନ୍ତି। ଟୋକନ କଟିଥିବା ଚାଷୀଙ୍କର ପ୍ରାୟ ୮ ଶହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା ଘାରିଛି। ଏ ବାବଦରେ ବାରମ୍ବାର ସମିତିକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟହୋଇ ସମିତି ଫାଟକରେ ତାଲା ପକାଇଥିବା ଚାଷୀ ଅନାମ ଚରଣ ସାହୁ, ମୁକ୍ତିକାନ୍ତ ନାୟକ, ସାଧୁଚରଣ ମହାକୁଡ଼ ଓ ଚିନ୍ମୟ ପାଢ଼ୀ ପ୍ରମୁଖ କହିଛନ୍ତି। କେଉଁ ପରିସ୍ଥିତିରେ ସେମାନଙ୍କ ଟୋକନ କଟିଲା ତାହାର ତଦନ୍ତ କରାଯିବା ସହ କିପରି ମଣ୍ଡିରୁ ଧାନ କ୍ରୟ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏହି ସମିତିରୁ ଧାନ ଉଠାଇବାକୁ ଚୁକ୍ତି କରିଥିବା ୩ ମିଲ୍‌ ଠିକ୍‌ ସମୟରେ ନେଉ ନ ଥିବାରୁ ସମିତିରେ ଏପରି ଅବ୍ୟବସ୍ଥା ଦେଖାଦେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ରାସ୍ତାରୋକୋ କରିବାକୁ ବାଧ୍ୟହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଚାଷୀମାନେ ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣୁନାହାନ୍ତି। ମିଲ୍‌ ନିମ୍ନମାନର ଧାନ ନେବାକୁ ଅମଙ୍ଗ ହେଉଛି। ଯେଉଁ ଚାଷୀଙ୍କର ଟୋକନ କଟିଛି କିପରି ସେମାନେ ଧାନ ଦେଇପାରିବେ ସେଥିପ୍ରତି ସମିତି ଧ୍ୟାନ ଦେବ। ଏହି ସମିତିରେ ଶନିବାର ସୁଦ୍ଧା ୨୬ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ଥିଲାବେଳେ ୧୪ ହଜାର କୁଇଣ୍ଟାଲ କିଣା ସରିଛି। ସମିତି ୨୧୮ କ୍ଷୁଦ୍ର ଚାଷୀ, ୧୩୨ ଛୋଟ ଓ ୩୪ ବଡ଼ଚାଷୀ ମୋଟ ୩୮୪ଜଣଙ୍କଠାରୁ ଧାନ କ୍ରୟ କରିସାରିଥିବା ସେ କହିଛନ୍ତି। ସମିତିରେ ତାଲା ପକାଇ ଚାଷୀମାନେ ହୋହଲ୍ଲା କରିଥିଲେ। ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳ, ବାସୁଦେବପୁର ଥାନା ଏଏସ୍‌ଆଇ ବିନୋଦ ବିହାରୀ ହେମ୍ବ୍ରମ ପ୍ରମୁଖ ସେଠାରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ସମିତି ଫାଟକରେ ତାଲା ପଡ଼ିରହିଥିଲା।