ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାବେଳେ ଋଷିକୁଲ୍ୟା ମୁହାଣ ନିକଟ ସମୁଦ୍ରରେ ଗଞ୍ଜାମ ଜିଲା ଅଗସ୍ତିନୂଆଗଁ। ପଞ୍ଚାୟତ ସାନନୋଳିଆନୂଆଗଁ।ର କେତେକ ମତ୍ସ୍ୟଜୀବୀ ଡଙ୍ଗାରେ ଯାଇ ମାଛ ମାରୁଥିଲେ। ହଠାତ୍‌ ସେଠାରେ ପାରାଦ୍ୱୀପର ଏକ ବୋଟ୍‌ (ନଂ-ଓଆର୍‌ ୦୪ଏମ୍‌ଏମ୍‌-୧୪୯) ପହଞ୍ଚିଥିଲା। ନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ସେତେବେଳେ ସମୁଦ୍ରରୁ ମାଛ ମାରିବା ପାଇଁ ଜାଲ ପକାଇଥିଲେ। ପାରାଦ୍ୱୀପର ଉକ୍ତ ବୋଟ୍‌ ସେଠାରେ ପହଞ୍ଚିଥିବାରୁ ଉକ୍ତ ଜାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉକ୍ତ ଜାଲର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। କ୍ଷତିପୂରଣ ଦେବାକୁ ନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ପାରାଦ୍ୱୀପ ବୋଟ୍‌ରେ ଥିବା ଲୋକଙ୍କୁ କହିଥିଲେ। ମାତ୍ର ସେମାନେ ମନାକରିବା ସହ ହଠାତ୍‌ ବୋଟ୍‌ରେ ଖଣ୍ଡା, ଭୁଜାଲି ବାହାରକରି ଆକ୍ରମଣ ଉଦ୍ୟମ କରିଥିଲେ। ଏଥିରୁ ବଞ୍ଚିବାକୁ ଯାଇ ନୋଳିଆନୂଆଗାଁର ମତ୍ସ୍ୟଜୀବୀମାନେ ଡଙ୍ଗାରୁ ସମୁଦ୍ର ପାଣିକୁ ଡେଇଁ ପଡିବାରୁ ଜୀବନ ରକ୍ଷା କରିପାରିଛନ୍ତି। ଏନେଇ ସାନନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ବୁଧବାର ଅତିରିକ୍ତ ନିର୍ଦ୍ଦେଶକ (ମତ୍ସ୍ୟ)ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏନେଇ ଆର୍ଯ୍ୟପଲ୍ଳୀ ମେରାଇନ୍‌ ଥାନାରେ ଏତଲା ଦିଆଯାଇଛି। ଏମାନଙ୍କ ସହ ନିକଟସ୍ଥ ୭ ଗାଁର ମତ୍ସ୍ୟଜୀବୀମାନେ ସାମିଲ ଥିଲେ। ଏସମ୍ପର୍କରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରାଜ୍ୟ ମତ୍ସ୍ୟ ବିଭାଗ ଓ ପାରାଦ୍ୱୀପର ଅତିରିକ୍ତ ନିର୍ଦ୍ଦେଶକ (ଫିସେରିଜ୍‌)ଙ୍କୁ ଅବଗତ କରିଥିବା ଜଣାପଡିଛି।

Share