ଶହଶହ ହେକ୍ଟର ଚାଷଜମିରେ ମାଡ଼ିଗଲା ଲୁଣାଜୁଆର : ପଥରବନ୍ଧ ନିର୍ମାଣ ଦାବି

କାକଟପୁର,୩୧।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଉଦୟକଣିଠାରେ ଅଶାନ୍ତ ସମୁଦ୍ର ବୁଧବାର ରାତିରେ କୂଳଲଙ୍ଘି ସ୍ଥଳଭାଗକୁ ମାଡ଼ିଆସିଥିଲା। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡିହା ଗ୍ରାମର ଶହଶହ ହେକ୍ଟର ଚାଷଜମିରେ ଲୁଣାଜୁଆର ମାଡ଼ିଯାଇଛି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଗୁରୁବାର ଅସ୍ତରଙ୍ଗ ତହସିଲଦାର ଅଶୋକ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ତହସିଲଦାରଙ୍କ ସହିତ କୃଷି ବିଭାଗ ଅଧିକାରୀ ନିବେଦିତା ପଟ୍ଟନାୟକ ମଧ୍ୟ ଗସ୍ତ କରି କ୍ଷୟକ୍ଷତି ସମ୍ପର୍କରେ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଠାରେ ପ୍ରାକୃତିକ ବାଲିସ୍ତୂପ ନିର୍ମାଣ ପାଇଁ କୋଣାର୍କ ବନ ବିଭାଗ ପକ୍ଷରୁ କିଆବାଡ଼ ନିର୍ମାଣ କରାଯାଇଛି। ବାଲିସ୍ତୂପ ନିର୍ମାଣ ହେବାକୁ ବିଳମ୍ବ ହେବ। ତେଣୁ ଏଠାରେ ପଥରବନ୍ଧ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲଦାରଙ୍କ ନିକଟରେ ଦାବି ହୋଇଛି।

Share